ସୁବର୍ଣ୍ଣପୁର: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ୟ୍ୟ ତ୍ବରାନ୍ବିତ କରିବାକୁ ଦାବି । ରେଳ କାର୍ଯ୍ୟ ପ୍ରତି ଦୃଷ୍ଟି ଦେଇ 2024 ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ କ୍ରିୟାନୁଷ୍ଠାନ କମିଟି ଦାବି କରିଛି ।
ଏଥର ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ରେଳ ବଜେଟରେ ଏକ ହଜାର ପଚାଶ ଲକ୍ଷ ଟଙ୍କା ଅନୁଦାନ କରିଛନ୍ତି । ଯାହାକୁ ସୁବର୍ଣ୍ଣପୁର-ବୌଦ୍ଧ ରେଳ କ୍ରିୟାନୁଷ୍ଠାନ କମିଟି ସ୍ୱାଗତ କରିବା ସହିତ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛି । ହେଲେ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଦାବି କରିଛି କମିଟି । ସୁବର୍ଣ୍ଣପୁର ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇ ଥିବାବେଳେ ଏହି ପ୍ରକଳ୍ପ ପାଇଁ ଷ୍ଟେସନ ଓ ରେଳ ବ୍ରିଜଗୁଡିକ ଅନେକ ଯାଗାରେ ତିଆରି ଚାଲିଛି । ତେବେ କେନ୍ଦ୍ର ସରକାର ଯେତିକି ଗୋଟିଏ ଆର୍ଥିକ ବର୍ଷରେ ଅନୁଦାନ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଖର୍ଚ୍ଚ କରାଯାଇ ପାରୁନାହିଁ । ଫଳରେ 2021 ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ହେଉଥିବା ଅଭିଯୋଗ ହେଉଛି । ତେବେ ରେଳ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମୀକ୍ଷା କରିବା ସହିତ ଅନ୍ତତଃ 2024 ଶେଷସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ କ୍ରିୟାନୁଷ୍ଠାନ କମିଟି ଦାବି କରିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ