ସୁବର୍ଣ୍ଣପୁର: ମହାନଦୀ ଗର୍ଭରେ ଚାଲିଛି ବେଆଇନ ବ୍ଳାଷ୍ଟିଂ । ଫଳରେ ଜଳ ଓ ଶବ୍ଦ ପ୍ରଦୂଷଣ ହେଉଛି । ମହାନଦୀରେ ଥିବା ମତ୍ସ୍ୟ ସମ୍ପଦ ନଷ୍ଟ ହେବା ସହିତ ଅନ୍ୟାନ୍ୟ ଜଳଜୀବୀଙ୍କ ସଂଖ୍ୟା ବି ଅହେତୁକ ଭାବେ କମି କମି ଯାଉଛି । ଅପ୍ରାକୃତିକ ଉପାୟରେ କିଛି ଖଳ ଓ ଅସାମାଜିକ ପ୍ରକୃତିର ଲୋକ ବ୍ଳାଷ୍ଟିଂ କରି ମାଛ ମାରୁଛନ୍ତି । ଏହାଯୋଗୁଁ ଦିନକୁ ଦିନ ମହାନଦୀରେ ମତ୍ସ୍ୟ ଉତ୍ପାଦନ କମିବାରେ ଲାଗିଛି । ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ 80 କିଲୋମିଟର ପର୍ଯ୍ୟନ୍ତ ମହାନଦୀ ପ୍ରବାହିତ ହେଉଛି । ଜିଲ୍ଲାର ଉଲୁଣ୍ଡା ବ୍ଳକରୁ ଆରମ୍ଭ କରି ବୀରମହାରାଜପୁର ବ୍ଲକର ସୁବଳୟା ଯାଏଁ ମହାନଦୀର ବିଭିନ୍ନ ଘାଟ ଭିତରେ ଅସାମାଜିକ ଲୋକେ ବ୍ଳାଷ୍ଟିଂ କରୁଛନ୍ତି । ହେଲେ ପୋଲିସ କିମ୍ବା ଜିଲ୍ଲା ପ୍ରଶାସନ ଏହି ଅସାମାଜିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇ ପାରୁନାହିଁ ।
ଦିନ ଥିଲା, ମହାନଦୀ ଭିତରେ ଲୋକଙ୍କ କାର୍ଯ୍ୟକଳାପ ଉପରେ ଜିଲ୍ଲା ପ୍ରଶାସନର ତୀକ୍ଷ୍ଣ ନଜର ରହିଥିଲା । ପ୍ରାୟ 10 ବର୍ଷ ତଳେ ତତ୍କାଳୀନ ଜିଲ୍ଲାପାଳ ଗଗନ ବିହାରୀ ସ୍ବାଇଁ ଜିଲ୍ଲା ପୋଲିସ ପ୍ରଶାସନର ସହଯୋଗରେ ନଦୀ ଭିତରେ ହେଉଥିବା ପ୍ରତ୍ୟେକ ଅସମାଜିକ କାର୍ଯ୍ୟକଳାପ ଉପରେ ଦୃଷ୍ଟି ଦେଇ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ।ଜିଲ୍ଲାର କେଉଁଟିପାଲି ଘାଟରୁ ଆରମ୍ଭ କରି ସୁବଳୟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ମହାନଦୀ ଗର୍ଭରେ ଅସାମାଜିକ କାର୍ଯ୍ୟ ନ କରିବା ପାଇଁ ଜନସାଧାରଣଙ୍କୁ ତାଗିଦ କରାଯାଉଥିଲା । ନଦୀ ଗର୍ଭରେ ଅଳିଆ ଆବର୍ଜନା ନପକାଇବା ସହିତ ମୃଣ୍ମୟୀ ପ୍ରତିମା ବିସର୍ଜନ କରିବାକୁ ବି ମନା କରାଯାଇଥିଲା ।
ତତ୍କାଳୀନ ଜିଲ୍ଲାପାଳ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ପ୍ରତ୍ୟେକ ଦିନ ମହାନଦୀର ବିଭିନ୍ନ ଘାଟରେ ମାଛ ଓ ଜଳଚରଜୀବଙ୍କ ଲାଗି ଖାଦ୍ୟ ପ୍ରଦାନ ବ୍ୟବସ୍ଥା କରିଥିଲେ । ଝରା ଓ କେଉଁଟ ସଂପ୍ରଦାୟର ଲୋକଙ୍କୁ ପ୍ରାକୃତିକ ଉପାୟରେ ମାଛ ମାରିବା ପାଇଁ ଅନୁମତି ଦିଆଯାଇଥିଲା । ବେଆଇନ ବ୍ଳାଷ୍ଟିଂ ଉପରେ ନଜର ରଖିବା ସହିତ ଜିଲ୍ଲା ପ୍ରଶାସନକୁ ସବୁ ସମୟରେ ଖବର ଦେବା ପାଇଁ କୁହାଯାଇଥିଲା । ସେହିପରି ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ମହାନଦୀ ଜଳରେ ଲକ୍ଷ ଲକ୍ଷ ମାଛ ଯାଆଁଳା ଛଡା ଯାଉଥିଲା । ସ୍ବେଚ୍ଛାସେବୀମାନଙ୍କୁ ନେଇ ଏକ ଟାକ୍ସଫୋର୍ସ ଗଠନ କରି ମହାନଦୀର ନିର୍ମଳ ବାରିଧାରାକୁ ବଞ୍ଚାଇ ରଖିବା ସହିତ ମତ୍ସ୍ୟ ଓ ଜଳଚରଙ୍କ ବଂଶ ବୃଦ୍ଧି ଉପରେ ଅନେକ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ହାତକୁ ନେଇଥିଲେ ।
ବେଆଇନ ବ୍ଳାଷ୍ଟିଂରୁ ଲୋକେ ନିବୃତ୍ତ ରହିବା ସହିତ ଧନଜୀବନ ହାନି ରୋକାଯାଇ ପାରିଥିଲା । ଏବେ ଗ୍ରୀଷ୍ଣ ଋତୁ ଆସିଥିବାରୁ ମହାନଦୀରେ ଜଳ ପ୍ରବାହ କମି କମି ଯାଉଛି । ଆଉ ଏହାର ସୁଯୋଗ ନେଇ ମହାନଦୀ ଗର୍ଭରେ ପୁଣି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏହା ଉପରେ ଅଙ୍କୁଶ ଲଗାଇବାକୁ ଏକ ସ୍ବତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ଦାବି ହେଉଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର