ସୁବର୍ଣ୍ଣପୁର: ଉତ୍କଳର ଜୀବନରେଖା ଭାବେ ପରିଚିତ ଚିରସ୍ରୋତା ମହାନଦୀ । ହେଲେ ଦିନକୁ ଦିନ ମହାନଦୀ ଗର୍ଭ ମରୁଭୂମିରେ ପରିଣତ ହେଉଛି । କମି କମି ଯାଉଛି ମହାନଦୀର ବାରିଧାରା । ତେବେ ଏନେଇ ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଓ ପ୍ରସ୍ତରଖଣ୍ଡରେ ପରିପୂର୍ଣ୍ଣ ମହାନଦୀରେ ବ୍ୟାରେଜ ନିର୍ମାଣ କରି ଜଳଧାରଣ କ୍ଷମତା ବଢାଇବାକୁ ଦାବି ହୋଇଛି । ବିନା ବିସ୍ଥାପନରେ ସିଣ୍ଢୋଲ, ଗୋଧେଶ୍ବର ଓ ଖଇରମାଳ ଆଦି ବ୍ୟାରେଜ ନିର୍ମାଣ କରି ଶସ୍ୟ ଶାମଳା ସୁବର୍ଣ୍ଣପୁରକୁ ଚୀର ସବୁଜିମାରେ ଭରି ଦେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।
ଗତ ଜୁଲାଇ 4 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ପାଣ୍ଡିଆନ ଜିଲ୍ଲା ଗସ୍ତରେ ଆସି ପ୍ରସ୍ତାବିତ ରାମେଶ୍ୱର ବ୍ୟାରେଜ ପାଇଁ ରାମେଶ୍ୱର ଘାଟ ପରିଦର୍ଶନ କରିଥିଲେ । ଗତ ବଜେଟରେ ତତ୍କାଳୀନ ଅର୍ଥମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ମହାନଦୀର ପ୍ରସ୍ତାବିତ ବ୍ୟାରେଜ ସମ୍ପର୍କରେ ଉଲ୍ଲେଖ କରି ଅର୍ଥ ମଞ୍ଜୁର ହୋଇଥିବା ଘୋଷଣା କରିଥିଲେ । ପରେ 5ଟି ସଚିବ ପରିଦର୍ଶନ ପରେ ଜିଲ୍ଲାବାସୀ ତୁରନ୍ତ ପ୍ରଶାସନିକ ମଞ୍ଜୁରୀ ଓ ଅର୍ଥ ବରାଦର ଘୋଷଣା ଆଶା କରିଥିଲେ । ହେଲେ 5ଟି ସଚିବଙ୍କ ଗସ୍ତ ପରେ ବି ସଭିଏଁ ରାମେଶ୍ୱର ବ୍ୟାରେଜ ଉପରେ ନୀରବ ରହିଥିବା ଅଭିଯୋଗ ହୋଇଛି ।
ସେହିପରି ରାଜ୍ୟ ଜଳସେଚନ ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଥିବା ଖଇରମାଳ ବ୍ୟାରେଜ ବନ୍ଦ ହେବା ଖବର ଜଣାପଡିବା ପରେ ଜନଅସନ୍ତୋଷ ବଢିବାରେ ଲାଗିଥିଲା । ୨୦୨୧ ମସିହାରେ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ଗୁଡିକ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ଥିବା ବେଳେ କେଉଁ ଉଦ୍ଦେଶ୍ୟରେ ବହୁ ପ୍ରତୀକ୍ଷିତ ଖଇରମାଳ ପ୍ରକଳ୍ପ ବନ୍ଦ କରାଯାଇଛି ତାହାକୁ ନେଇ ଜନସାଧାରଣ ପ୍ରଶ୍ନ କରିଥିଲେ। ରାଜ୍ୟ ଜଳ ସଂପଦ ବିଭାଗର ଅନୁଯାୟୀ ଖଇରମାଳ ଠାରେ ଏକ ପ୍ରକଳ୍ପ ନିର୍ମାଣ ପାଇଁ ୧୦୯ କୋଟି ୯୮ ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର ପାଇଁ ଅନୁମତି ମିଳିଥିଲା । ହେଲେ ଏବେ ରାମେଶ୍ୱର ପ୍ରକଳ୍ପ ପାଇଁ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସରକାରୀ କାର୍ଯ୍ୟରେ ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ବଢିବାରେ ଚାଲିଛି।
ଏହା ମଧ୍ୟ ପଢନ୍ତୁ - ସୋନପୁରରେ ଖଇରମାଳ ପ୍ରକଳ୍ପ ବନ୍ଦ, ଗୋଧନେଶ୍ୱର ପ୍ରକଳ୍ପକୁ ନେଇ ବଢିଲା ଚିନ୍ତା
ଇତି ମଧ୍ୟରେ ଦୁଇ ବର୍ଷ ବିତି ଯାଇଥିଲେ ବି ଖଇରମାଲ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ସରକାରୀ ନିର୍ଦ୍ଦେଶ ମିଳିନାହିଁ କି ଅର୍ଥ ମଞ୍ଜୁର ହୋଇ ନ ଥିବା ଅଭିଯୋଗ ହେଉଛି । ଜିଲ୍ଲାର ଜନସାଧାରଣ ଓ ଚାଷୀକୂଳକୁ ଖୁସି କରିବା ପାଇଁ ରାଜ୍ୟ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ କେବଳ ପ୍ରତିଶୃତି ଉପରେ ପ୍ରତିଶୃତି ଦେଇ ଚାଲିଛନ୍ତି । ତେବେ ତୁରନ୍ତ ମହାନଦୀରେ ରାମେଶ୍ୱର ବ୍ୟାରେଜ ନିର୍ମାଣ କରି ମହାନଦୀର ଜଳଧାରଣ କ୍ଷମତା ବୃଦ୍ଧି କରିବା ସହିତ ଅଣଜଳସେଚିତ ମରୁଡିଗ୍ରସ୍ତ ଚାଷଜମିକୁ ଜଳସେଚିତ କରିବା ଉପରେ କାର୍ଯ୍ୟ କରା ନ ଗଲେ ଆଗକୁ ଜନ ଅସନ୍ତୋଷ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର