ସୁବର୍ଣ୍ଣପୁର: ଭୂମିହୀନଙ୍କୁ ପଟ୍ଟା ମିଳିଛି କିନ୍ତୁ ଜମି ଜବରଦଖଲ କରୁଛନ୍ତି ପ୍ରଭାବଶାଳୀ ବ୍ୟକ୍ତି। ସେହିପରି ଏକର ଏକର ଜଙ୍ଗଲ ଜମି ମଧ୍ୟ ପ୍ରଭାବଶାଳୀଙ୍କ କବଜାରେ । ଅସାଧୁ ସରକାରୀ କର୍ମଚାରୀଙ୍କ ସହାୟତାରେ ପ୍ରଭାବଶାଳୀ ଜବରଦଖଲକାରୀମାନେ ପଟ୍ଟା ମଧ୍ୟ ହାତେଇ ସାରିଥିବା ଦେଖିବାକୁ ମିଳିଛି । ଏପରି କିଛି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅଞ୍ଚଳରୁ । ଶତାଧିକ ଲୋକଙ୍କୁ ଘରଡିହ ପଟ୍ଟା ଯୋଗାଇ ଦିଆଯାଇଥିବାବେଳେ ସେମାନଙ୍କୁ ଯାଗା ଚିହ୍ନଟ କରି ଦିଆଯାଇ ନାହିଁ । ଲୋକେ ବେଆଇନ ଭାବେ ସେହି ଜମି ଦଖଲ କରୁଛନ୍ତି । ସେହିପରି ଅନ୍ୟ କିସମର ଜମି ଅନ୍ୟମାନଙ୍କ ନାଁରେ ପଟ୍ଟା ହୋଇଛି । ବୀରମହାରାଜପୁର ତହସିଲ ଅଧିନରେ ଥିବା ସରକାରୀ ଜମି ଜବରଦଖଲକାରୀମାନେ ନିଜ କବଜାରେ ରଖିଛନ୍ତି ।
ସେହିପରି ଶହଶହ ଏକର ଜଙ୍ଗଲ ଜମି ଜବର ଦଖଲକାରୀମାନେ ମାଡି ବସିଥିବାବେଳେ ନିଜ ନାମରେ ପଟ୍ଟା କରେଇ ନେଇଛନ୍ତି । ଗରିବ ପଟ୍ଟାଧାରୀ ହିତାଧିକାରୀଙ୍କ ପାଇଁ ଜମି ଚିହ୍ନଟ କରାଯାଉ ନାହିଁ । ହିତାଧିକାରୀମାନେ ବାରମ୍ବାର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହି ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ କରି ପଟ୍ଟାଧାରୀଙ୍କୁ ତାଙ୍କ ଜମି ଚିହ୍ନଟ କରିବା ସହିତ ଦୁର୍ନୀତିଖୋର ଜବରଦଖଲକାରୀଙ୍କୁ ବେଦଖଲ କରିବାକୁ ବିଜେପି ଦାବି କରିଛି । ଏହି ଜମି ଦୁର୍ନୀତି ପଦାକୁ ଆସିବା ପରେ ଉପଜିଲ୍ଲାପାଳ ଓ ତହସିଲଦାର ଅନେକ ମାମଲାର ଶୁଣାଣି କରିଛନ୍ତି । ତେବେ ପ୍ରତିଟି ପଟ୍ଟା ତନଖି କରାଯିବା ସହିତ ଏହାର ଉପଯୁକ୍ତ ତଦନ୍ତ କରି ଜନଶୁଣାଣି କରାଯାଉଥିବା ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ