ସୁବର୍ଣ୍ଣପୁର: ବୀରମହାରାଜପୁର ପୋଲିସ କମଲପୁର ଗାଁର ଶତୃଘ୍ନ ମେହେରଙ୍କ ପାଖରୁ ଏକ ବାଉନ୍ସ ଚେକ ଜବତ କରିଛି । ଶତୃଘ୍ନଙ୍କୁ ଉଫୁଲା ସରପଞ୍ଚ ସଂଘମିତ୍ରା ସାହାଙ୍କ ସ୍ବାମୀ ପ୍ରିୟବ୍ରତ ଏହି ଚେକ ଦେଇଥିଲେ । ସରପଞ୍ଚ ସଂଘମିତ୍ରା ସାହା ଶତ୍ରୁଘ୍ନଙ୍କ ପାଖରୁ ନୋଟାରୀ ପାଖରେ ଏକ ଏଫିଡେଭିଟ କରି ଏକ ଲକ୍ଷ ତିରିଶ ହଜାର ଟଙ୍କା ନିର୍ବାଚନ ଖର୍ଚ୍ଚ ପାଇଁ ନେଇଥିଲେ । ସରପଞ୍ଚଙ୍କ ସ୍ବାମୀ ପ୍ରିୟବ୍ରତ ସାହୁ ଶତୃଘ୍ନଙ୍କୁ ଲକ୍ଷେ ଟଙ୍କାର ଏହି ଚେକ ପ୍ରଦାନ କରିଥିଲେ । ହେଲେ ପ୍ରିୟବ୍ରତଙ୍କ ଆକାଉଣ୍ଟରେ ଆବଶ୍ୟକ ଟଙ୍କା ନ ଥିବାରୁ ଚେକ ଦୁଇ ଦୁଇ ଥର ବାଉନ୍ସ ହୋଇଥିଲା ।
ଶତୃଘ୍ନ ଟଙ୍କା ମାଗିବାରୁ ସରପଞ୍ଚଙ୍କ ସ୍ବାମୀ ପ୍ରିୟବ୍ରତ ଶତୃଘ୍ନଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ପ୍ରିୟବ୍ରତ ମଧ୍ୟ ଶତୃଘ୍ନଙ୍କ ନାଁରେ ଥାନାରେ ଏକ ପାଲଟା ଅଭିଯୋଗ କରିଥିଲେ । ହେଲେ ଏବେ ବୀରମହାରାଜପୁର ପୋଲିସ ଶତୃଘ୍ନଙ୍କୁ ଡାକି ପ୍ରିୟବ୍ରତ ଦେଇଥିବା ଚେକ ଜବତ କରିବା ସହିତ ପୂର୍ବରୁ ଶତୃଘ୍ନ ଦାୟର କରିଥିବା ଦୁଇ ଦୁଇଟି ମାମଲାର ତଦନ୍ତ ଜାରି ରଖିଛି ।
ବୀରମହାରାଜପୁର ପୋଲିସ ତଦନ୍ତ ଜାରି ରଖିଥିବାରୁ କ୍ୟାମେରା ସାମ୍ନାରେ ଶତୃଘ୍ନଙ୍କୁ ପ୍ରିୟବ୍ରତଙ୍କ ମରଣାନ୍ତକ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେବା ପାଇଁ ମନା କରିଛି । ପ୍ରିୟବ୍ରତକୁ ଗିରଫ କରିବା ପାଇଁ ଶତୃଘ୍ନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ