ସୁବର୍ଣ୍ଣପୁର: ମହାନଦୀ ଗର୍ଭରେ ଥିବା କୈବର୍ତ୍ତ୍ୟ ସମାଜର ଦେବୀ ମା ଲଙ୍କେଶ୍ବରୀଙ୍କ ଚୈତ୍ର ପର୍ବ ମହାସମାରୋହର ପାଳିତ ହୋଇଯାଇଛି । ଲଙ୍କେଶ୍ବରୀ ଦୋରୁହ ଭିତରେ ଥିବା ସାତ ବହନି ଓ ଦେବୀ ମା ଲଙ୍କେଶ୍ବରୀଙ୍କ ଚୈତ୍ର ପୂଜା ଆରାଧନା ପାରମ୍ପରିକ ରୀତିନୀତିରେ ସଂପନ୍ନ ହୋଇଛି । ବିଗତ ଦୁଇ ବର୍ଷ ହେଲା କୋଭିଡ ମହାମାରୀ ପାଇଁ ଏହି ପର୍ବ କେବଳ ରୀତିନୀତିରେ ସଂପନ୍ନ କରାଯାଇଥିଲା ।
କିନ୍ତୁ ଚଳିତଥର ଏହି ପର୍ବରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଦେବୀ ମା ଲଙ୍କେଶ୍ବରୀଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସହରର ମହାନଦୀର ତେନ୍ତୁୁଳି ଘାଟରୁ ଛତି ଛତ୍ର ଆଦି ଦେଶୀ ଡଙ୍ଗା ସାହାସ୍ୟରେ ଲଙ୍କେଶ୍ବରୀ ପୀଠକୁ ନିଆଯାଇଥିଲା । ତେନ୍ତୁଲିଘାଟରୁ ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ଦେବୀଙ୍କ ଚୈତ୍ର ପର୍ବରେ ଆବଶ୍ୟକ ପୂଜା ସାମଗ୍ରୀ ନିଆଯାଇଥିଲା ।
ଶ୍ରଦ୍ଧାଳୁମାନଙ୍କ ହରିବୋଲ ହୁଳହୁଳିରେ ମୁଖରିତ ହୋଇଥିବା ମହାନଦୀ ଗର୍ଭର ଦେବୀ ମା ଲଙ୍କେଶ୍ବରୀଙ୍କ ପୀଠ । ଦେବୀଙ୍କ ପୂଜା ଆରାଧନା ପରେ ଧାଡିରେ ଶ୍ରଦ୍ଧାଳୁମାନେ ଦେବୀ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ଦୁଇ ବର୍ଷ ପରେ ଏହି ଦେବୀ ପୀଠକୁ ପୁଣି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଯିବା ଆସିବା ଲାଗି ରହିଛି । ମାଆଙ୍କର ଅପରୂପ ଲିଳା ସହିତ ଦେବୀଙ୍କ ଦର୍ଶନ ପାଇଁ ବିଶେଷକରି ସକାଳୁ ଏବଂ ସନ୍ଧ୍ୟାରେ ବେଶ ଗହଳି ଦେଖିବାକୁ ମିଳିଥିଲା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ