ସୁବର୍ଣ୍ଣପୁର: ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକରେ ହୋଇଥିବା ଡକାୟତି ମାମଲାର ପର୍ଦ୍ଦାଫାସ କରିବାରେ ପୋଲିସ ସଫଳତା ପାଇଛି । ଗତ 17 ତାରିଖରେ ଅଭିଯୁକ୍ତ ସୁରେଶ ଠାକୁର ଓ ଜୟପାଲ ମହାନନ୍ଦ ଏକ ଗାଡିରେ ଆସିକାରୁ ବରଗଡ ସାଢେ ତିନି ଲକ୍ଷ ଟଙ୍କା ନେଇ ଯାଉଥିଲେ । ତେବେ ବିଶାଲପାଲି ଛକରେ ୬ ଜଣ ଦୁର୍ବୃତ୍ତ ଗାଡି ଅଟକାଇ ଅଭିଯୁକ୍ତ ମାନଙ୍କୁ ଆକ୍ରମଣ କରି ଟଙ୍କା ଲୁଟ କରିଥିବା ବିନିକା ଥାନାରେ ସେମାନେ ଅଭିଯୋଗ କରିଥିଲେ ।
ତେବେ ଟଙ୍କାର ମାଲିକ ସୁରେଶ ଲାଠ ଏହା ଏକ ମିଥ୍ୟା ମାମଲା ଓ ଟଙ୍କା ସୁରେଶ ଠାକୁର ଓ ଜୟପାଲ ମହାନନ୍ଦ ଆତ୍ମସାତ କରିଛନ୍ତି ବୋଲି ପୁଣି ଏକ ମାମଲା ଦାୟର କରିଥିଲେ । ତେବେ ଅଭିଯୁକ୍ତ ମାନେ ଟଙ୍କା ଠକିନେବା ପାଇଁ ମିଛରେ ନିଜକୁ ନିଜେ ଆକ୍ରମଣ କରି ଟଙ୍କାସବୁ ଆତ୍ମସାତ କରିଥିବା ପୋଲିସ ଜାଣିବାକୁ ପାଇଥିଲା । ତେବେ ଅଭିଯୁକ୍ତ ଦୁଇଜଣ ଟଙ୍କା ଜଣେ ପରିଚିତ ବ୍ୟକ୍ତି ହାତରେ ବରଗଡ ପଠେଇ ଦେଇ ମିଛରେ ବିନିକା ଥାନାରେ ଏତଲା ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା ।
ତଦନ୍ତକାରୀ ପୋଲିସ ଦଳ ବରଗଡ ଯାଇ ସାଢେ ତିନି ଲକ୍ଷରୁ ଟଙ୍କାରୁ ତିନି ଲକ୍ଷ ସତେଇଶ ହଜାର ଟଙ୍କା ଜବତ କରିବା ସହିତ ଦୁଇ ଅଭିଯୁକ୍ତକୁ ଗିରଫ କରିଛନ୍ତି । ବାକି ତେଇଶ ହଜାର ଟଙ୍କାର ସନ୍ଧାନ ଚାଲିଥିବା ବେଳେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ, ପୋଲିସ ତାହା ତଦନ୍ତ କରୁଛି । ଅଭିଯୁକ୍ତ ଦୁଇଙ୍କୁ ଆଜି(ରବିବାର) କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ସୂଚନା ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ