ସୁବର୍ଣ୍ଣପୁର: ଆଃ କି ଚମତ୍କାର ହୋଇଛି ମୁଢି ଲଡୁ । ଖୁବ ସୁଆଦିଆ ହୋଇଛି ମାମାଙ୍କ ଘର ତିଆରି ବରକୋଳି ଆଚାର। ସେହି ସ୍ୱାଦ । ସେହି ଏକା ପ୍ରକାର ପ୍ରସ୍ତୁତି । ଆଜକୁ 40 ବର୍ଷରୁ ଅଧିକ ହେଲା ମାମାଙ୍କ ହାତ ତିଆରି ମୁଢି ଲଡୁ ଅନେକ ଝୁରି ହୁଅନ୍ତି। ହେଲେ ପିଢି ପରେ ପିଢି ମାମାଙ୍କ ହାତ ତିଆରି ଖାଦ୍ୟ ଖାଇ ପାଠ ପଢି କେତେ ପିଲା ବଡ ଲୋକ ହେଲେଣି। ହେଲେ ସ୍କୁଲ ସମୟ ମନେ ପକାଇଲେ ମାମା ଚରିତ୍ର ଆଖି ଆଗରେ ଝଲସି ଉଠେ। ଆଜି ବି 80 ବର୍ଷ ବୟସରେ ମାମା ସକ୍ରିୟ । ଆମେ କହୁଛୁ ସୁବର୍ଣ୍ଣପୁର ସହରର ମଝିପଡାର ଚେରବୁଇଙ୍କ କାହାଣୀ ।
ନାଁ ଚେର ଯୁଗନିଆଁ । ବୟସ 80 ପାଖାପାଖି। ହେଲେ ସଭିଏଁ ଡାକନ୍ତି ମାମା ମାମା ବୋଲି । ଏବେ ବି ମାମା ଚଳ ଚଞ୍ଚଳ। ଆଜକୁ 40 ବର୍ଷରୁ ଅଧିକ ହେଲା ପିଲାଙ୍କ ଗହଣରେ ବିତୁଛି ସମୟ । ସୁବର୍ଣ୍ଣପୁର ସହରର ଘୋଡାଘାଟ ପଡାକୁ ବୋହୁ ହୋଇ ଆସିବାର କେତେଟା ବର୍ଷ ପରେ ସଂସାରର ବୋଝ ପଡିଲା ନିଜ କାନ୍ଧରେ । ଦୁଇ ଝିଅ ଆଉ ପୁଅ ମୁହଁରେ ଦାନା , ଦେହକୁ କନା ଯୋଗାଡ କରିବାକୁ ଆରମ୍ଭ କଲେ ବ୍ୟବସାୟ। ମଝିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ ଘର ତିଆରି ଖାଦ୍ୟ ବିକ୍ରୟ କଲେ । ମୁଢିଲଡୁ, ଚଣା, ସିଝା ଓ ଭଜା ବାଦାମ, ବରକୋଳି ଆଚାର ସହିତ ଋତୁ ଅନୁସାରେ ଫଳ । ଇତିମଧ୍ୟରେ ଦୁଇ ଝିଙ୍କୁ ବାହା ଦେଇ ପୁଅକୁ ବି ସଂସାରରେ ଛନ୍ଦି ଦେଲେଣି। ହେଲେ ଆଜି ବି ମାମା ନିଜ ବ୍ୟବସାୟ କରୁଛନ୍ତି ବିଦ୍ୟାଳୟର ପରିସରରେ । ଅନେକ ସମୟରେ ପୁଅ ମାର ବୟସ ଦେଖି ମନା କରେ । ହେଲେ ଟଙ୍କା ଉପାର୍ଜନ ନୁହେଁ ଛାତ୍ରଛାତ୍ରୀଙ୍କ ସ୍ନେହ ଆଜିଯାଏଁ ତାଙ୍କୁ ବିଦ୍ୟାଳୟ ପରିସରରେ ବ୍ୟବସାୟ କରିବାକୁ ବାଧ୍ୟ କରୁଛି ।
ସୂର୍ଯ୍ୟ ମୁଣ୍ଡ ଉପରକୁ ଗଲେ ଖାଦ୍ୟ ପଦାର୍ଥ ରଖିଥିବା ଭୁଗା ଞ୍ଚାଘୁଡି ମୁଣ୍ଡରେ ବୋହି ଘରୁ ବାହାରି ପଡନ୍ତି ମାମା । ଠିକ ମଧ୍ୟାହ୍ନ ଭୋଜନ ବିରତି ଘଣ୍ଟା ବାଜିବା ପୂର୍ବରୁ ମାମା ବିଦ୍ୟାଳୟ ପରିସରର ପିଣ୍ଡି ଉପରେ ନିଜ ଖାଦ୍ୟ ଞ୍ଚାଘୁଡି ଖୋଲି ବସି ପଡନ୍ତି। ଘଣ୍ଟା ବାଜୁ ବାଜୁ ପିଲାମାନେ ଘେରି ଯାଆନ୍ତି ମାମାଙ୍କୁ। ଘର ତିଆରି ଖାଦ୍ୟ ମାମାଙ୍କ ପାଖରୁ କିଣି ବେଶ ମନ ଆନନ୍ଦରେ ବିରତି ସମୟ କଟାଇଥାନ୍ତି ଛାତ୍ର ଛାତ୍ରୀ । କେହି କେହି ମାମାଙ୍କ ପାଖରୁ ଧାର ବି ନେଇଥାନ୍ତି । ହେଲେ ପାଟି ଗଣିତର ମିଶାଣ ଫେଡାଣରେ ବି ମାମା ଖୁବ ଦକ୍ଷ । ଧାର ସହିତ ଖୁଚୁରା ନେଣଦେଣରେ ବି ମାମାଙ୍କ ଖୁବ ପ୍ରଖର ସ୍ମୃତି। କେବେ କେବେ ପିଲାଙ୍କ ଆର୍ଥିକ ଅବସ୍ଥା ଜାଣି ଜାଣି ଗଣିତରେ ଭୁଲ କରି କ୍ଷତି ସହନ୍ତି ପିଲାଙ୍କ ପ୍ରିୟ ମାମା । ସେଥିପାଇଁ ତ ନିଜ ମା ଠୁଁ ମାମାଙ୍କୁ ବଡ ବୋଲି ପିଲାଏ ଭାବନ୍ତି ।
ଘରୁ ପ୍ରାୟ ଗୋଟିଏ କିଲୋମିଟର ଦୂର ବିଦ୍ୟାଳୟରେ ଆଜକୁ 40 ବର୍ଷର ସମୟ ଅତିବାହିତ କରିଛନ୍ତି ମାମା । କି ପିଲା କି ଶିକ୍ଷକ ସଭିଏଁ ମାମାଙ୍କ ସାନ୍ନିଧ୍ୟ ପାଇ ବେଶ ଖୁସି ଅଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ