ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଷଧର ସାପ କାମୁଡ଼ା ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ପୃଥକ ପୃଥକ ଜାଗାରେ ଦୁଇ ଜଣଙ୍କୁ ବିଷଧର ସାପ କାମୁଡ଼ି ଦେଇଥିଲା ।
ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କନ୍ଧିରିଆପଡା ଗାଁର ଦୁତିଆ ମହାଲିଙ୍ଗ ଗତକାଲି ସନ୍ଧ୍ୟାରେ ନଦୀକୁ ମାଛ ମାରି ଯାଇଥିବା ସମୟରେ କୌଣସି ଗୋଟିଏ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା । ସେ ଯନ୍ତ୍ରଣା ଅନୁଭବ କରିବାରୁ ଘରକୁ ଫେରି ଆସି ୧୦୮ ଆମ୍ବୁଲାନ୍ସ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଠିକ୍ ସେହିପରି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗବଜୁରୀ ଗାଁର ରୋଶୋନ ହରିପାଲ ଗତ ରାତିରେ ଘରେ ଶୋଇଥିବା ବେଳେ କୌଣସି ବିଷଧର ସାପ କାମୁଡି ଦେବାରୁ ତାଙ୍କୁ ମଧ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ହେଲେ ସେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ।
ଗୋଟିଏ ଦିନରେ ଦୁଇ ଦୁଇଟି ସାପ କାମୁଡା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ଯବଛେଦ ପାଇଁ ବ୍ୟବସ୍ଥା କରିଛି ।
ସୁବର୍ଣ୍ଣପୁରରୁ ତାର୍ଥବାସୀ ପଣ୍ଡା, ଇଟିଭି ଭାରତ