ସମ୍ବଲପୁର: ଦୀର୍ଘ ଦିନ ହେବ ପଶ୍ଚିମ ଓଡିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ପ୍ରତିଷ୍ଠା ନେଇ ଆନ୍ଦୋଳନ ହୋଇଆସୁଛି । ଏହି କ୍ରମରେ ଶନିବାର ସମ୍ବଲପୁର ସିଏସସିର ଡାକରାରେ ସମ୍ବଲପୁର ଓକିଲ ସଂଘ ଓ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 3 ଦିନ ପାଇଁ ବନ୍ଦ ଡାକରା ଦିଆଯାଇଛି । ପ୍ରତି ମାସର ଶେଷ 3 ଦିନ କାର୍ଯ୍ୟ ଦିବସରେ ଓକିଲ ସଂଘ ଆନ୍ଦୋଳନ କରୁଥିବାବେଳେ ଶନିବାର ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାରା ଜିଲ୍ଲାରେ ଅଚଳାବସ୍ଥା ସୃଷ୍ଟି କରିଥିଲା । ସମ୍ବଲପୁର ସିଏସିର ଏହି ବନ୍ଦ ଡାକରାରେ ଶନିବାର ଠାରୁ 24 ତାରିଖ ଯାଏଁ 3 ଦିନ ସବୁ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ ।
ତେବେ ଆଜିର ଏହି ବନ୍ଦ ଡାକରାରେ ନାଗରିକ କ୍ରିୟାନୁଷ୍ଠାନ କମିଟିର ସଭ୍ୟ ମାନେ କଚେରୀ ଛକ ଠାରେ ଧାରଣା ଦେବା ସହ ବିଭିନ୍ନ ସରକାରୀ ଅଫିସ ଆଗରେ ପିକେଟିଂ କରି ସେ ସବୁକୁ ବନ୍ଦ କରି ଦେଇଥିଲେ । ଏହା ସହ ଆନ୍ଦୋଳନ ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଥିଲା । ତେବେ ଚଳିତ ମାସ ଠାରୁ ଆନ୍ଦୋଳନରୁ ଆର୍ଥିକ କାରବାର ହେଉଥିବା ସଂସ୍ଥା ଗୁଡିକ ବାଦ ଦିଆଯାଇଥିଲା । ଏଥିସହ ବିଭିନ୍ନ ସରକାରୀ, ବେସରକାରୀ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟକୁ ବନ୍ଦରୁ ବାଦ ଦିଆଯାଇଥିବା ଦେଖିବାକୁ ମିଳିଥିଲା ।
ଅପରପକ୍ଷେ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ଓ ଓକିଲ ସଂଘ ଅଭିଯୋଗ କରିଛି ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ପଶ୍ଚିମ ଓଡ଼ିଶାବାସୀ ବର୍ଷ ବର୍ଷ ଧରି ଦାବି କରିବା ସହ ବହୁବାର ଆନ୍ଦୋଳନ କରିଛନ୍ତି । ତଥାପି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏ ଦିଗରେ କୌଣସି ଦୃଢ ପଦକ୍ଷେପ ନେଉନାହାନ୍ତି । ତେବେ ଏନେଇ ଚଳିତ ବର୍ଷ ନିର୍ଣ୍ଣାୟକ ଲଢେଇ ପାଇ ନାଗରିକ କମିଟି ଆଗକୁ ଆସିଛି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆସନ୍ତା ଜାନୁଆରୀ ୩୧ ତାରିଖ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ ନକଲେ ପଶ୍ଚିମ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଦାବି ସହ ଲଢେଇ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହା ସହ ସରକାର ଏଭଳି ଆଭିମୁଖ୍ୟ ଜାରି ରଖିଲେ ଆଗକୁ ସ୍ବତନ୍ତ୍ର ରାଜ୍ୟ ପାଇଁ ଆନ୍ଦୋଳନ ହେବ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ