ସମ୍ବଲପୁର: ଥମିବାର ନାଁ ଧରୁନି କଲରାପତରିଆ ବାଘ ଆତଙ୍କ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଅଞ୍ଚଳରେ ବନବିଭାଗ କର୍ମଚାରୀମାନେ ନିୟୋଜିତ ଥିଲେ ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।
ନୂଆପଡା ଜିଲ୍ଲାରେ ବାଘ ଆତଙ୍କ ଥମିବାର ଏକସପ୍ତାହ ନ ହେଉଣୁ ଏବେ ସମ୍ବଲପୁରରେ ବାଘ ଭୟ ଦେଖିବାକୁ ମିଳିଛି । ରେଢ଼ାଖୋଲ ଉପଖଣ୍ଡର ମଙ୍ଗଳପୁର ଗାଁରେ କଲରାପତରିଆ ବାଘ ଦେଖାଯିବା ପରେ ଭୟରେ ଗ୍ରାମବାସୀମାନେ ଦିନ କାଟୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ଗୋଟିଏ ଦିନରେ 7ଟି ଛେଳିକୁ ମାରି ଖାଇବା ପରେ ଘଟଣା ସ୍ଥଳକୁ ବନବିଭାଗ ଯାଇ ଛେଳିଗୁଡିକର ମୃତଦେହ ସବୁ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି ଓ ପରେ ଛେଳି ମୃତଦେହ ଗୁଡିକୁ ଛେଳି ମାଲିକମାନଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି l ସେପଟେ ଏହାର କ୍ଷତିପୂରଣ ଦେବାପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି ବନବିଭାଗ ।
ଏହାମଧ୍ୟ ପଢନ୍ତୁ..ନୂଆପଡା ପରେ ବଲାଙ୍ଗୀର: ବୁଲୁଛି କଲରାପତରିଆ ବାଘ, ଲୋକେ ଆତଙ୍କିତ
ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ, ଗିରିଶ୍ଚନ୍ଦ୍ରପୁର ରେଞ୍ଜ, ବାଲିକିଆରି ସେକ୍ସନ, ମଙ୍ଗଳପୁର ଗ୍ରାମର ଯୋଗେଶ୍ଵର ଲାକ୍ରା ଓ ସଂଯୁକ୍ତା ଝାଙ୍କରଙ୍କ ଛେଳି ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ପରେ ଖୋଜାଖୋଜି ପରେ ୫ଟି ଛେଳିର କ୍ଷତଵିକ୍ଷତ ମୃତଦେହ ଓ ଦୁଇଟି ଛେଳିର କିଛି ଅଂଶକୁ ପାଇଥିଲେ ସ୍ଥାନୀୟ ଲୋକେ l ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳି ଯାଇଛି l
ବନବିଭାଗ ଖବର ପାଇ ଗାଁରେ ପହଞ୍ଚି ଛେଳି ମାନଙ୍କ କ୍ଷତ ଚିହ୍ନ ଦେଖି ପ୍ରାଥମିକ ତଦନ୍ତରୁ ଏହା କଲରାପତରିଆ ବାଘ ଆକ୍ରମଣ ହୋଇପାରେ ବୋଲି କହିବା ପରେ ସ୍ଥାନୀୟ ଅଞ୍ଚଳରେ ବାଘ ଭୟ ସୃଷ୍ଟି ହୋଇଥିଲା l ବର୍ତ୍ତମାନ ଗାଁ ଲୋକେ ବାଘ ଆତଙ୍କ ଯୋଗୁଁ ଭୟଭୀତ ହୋଇ ରହିଛନ୍ତି l ସନ୍ଧ୍ୟା ହେଲେ ଲୋକେ ତାଟି କବାଟ ବନ୍ଦ କରି ଦେଇ ଘରୁ ବାହାରୁ ନାହାଁନ୍ତି l ରାସ୍ତା ଘାଟ, ଗାଁ ଦାଣ୍ଡ ଶୂନଶାନ ହୋଇ ପଢୁଛି l ଗାଁକୁ ଗିରିଶ୍ଚନ୍ଦ୍ରପୁର ରେଞ୍ଜର ଓ କର୍ମଚାରୀମାନେ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି l ଏବେ ଧାନଫସଲ ଅମଳ ସମୟ ହେବାରୁ ଲୋକେ ଚିନ୍ତାରେ ରହିଛନ୍ତି l ଯୁଆଡେ ଗଲେ ଦଳଦଳ ହୋଇ ଯାଉଛନ୍ତି ଲୋକେ l ଏପରିକି ଦିନବେଳା ମଧ୍ୟ ଭୟରେ ରହୁଛନ୍ତି ଲୋକେ l
ଅନ୍ୟପଟେ ବନବିଭାଗ ପକ୍ଷରୁ ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି l ମାଇକ ଯୋଗେ ଜଙ୍ଗଲକୁ ଗୃହପାଳିତ ପଶୁକୁ ନଛାଡିବାକୁ ପରାମର୍ଶ ଦିଆଯାଉଛି l ଅନୁକମ୍ପା ଆପରେ କ୍ଷତିଗ୍ରସ୍ତ ଙ୍କ ନାଁ ସାମିଲ କରି କ୍ଷତିପୂରଣ ଦିଆଯିବ ବୋଲି ଡିଏଫଓ ଅରବିନ୍ଦ ମହାନ୍ତି କହିଛନ୍ତି l
ଇଟିିଭି ଭାରତ, ସମ୍ବଲପୁର