ସମ୍ବଲପୁର: ଅନଲାଇନରେ ସଟ୍ଟା କାରବାର କରୁଥିବା ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଏହି ଅନଲାଇନ ସଟ୍ଟାର ଫଳାଫଳ ଆସୁଥିଲା ଅଧ ଘଣ୍ଟାରେ । ଯିଏ ଜିତୁଥିଲା, ତାକୁ ମିଳୁଥିଲା ବିନିଯୋଗର 10 ଗୁଣ ଟଙ୍କା ।
ସମ୍ବଲପୁରରେ ଏହି ଅନଲାଇନ ସଟ୍ଟା କାରବାର ବେଶ୍ ସକ୍ରିୟ ରହିଛି । କାରବାର ନେଇ ଅଭିଯୋଗ ଆସିବା ପରେ ସମ୍ବଲପୁର ଅଇଁଠାପାଲି ପୋଲିସ, କ୍ଷେତରାଜପୁର ପୋଲିସ ଓ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି 3 ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ସଞ୍ଜୟ ମହାନନ୍ଦ, ମୋହନ ଓରାମ ଓ ହନିଫ ଖାଁ । ଅଭିଯୁକ୍ତଙ୍କଠାରୁ 3ଟି କମ୍ପ୍ୟୁଟର ଓ ବିଭିନ୍ନ ସାମଗ୍ରୀ ସହ ନଗଦ ଟଙ୍କା ଜବତ ହୋଇଥିବା ସମ୍ବଲପୁର ସଦର ଏସଡିପିଓ ଭବାନୀ ଶଙ୍କର ଉଦଗତା ସୂଚନା ଦେଇଛନ୍ତି ।
ଦୀର୍ଘ ଦିନରୁ ଚାଲିଥିବା ଏହି କାରବାରରେ ରାଜ୍ୟ ବାହାରର ଲିଙ୍କ ଅଛି ନା ନାହିଁ ସେ ନେଇ ପୋଲିସ ତଦନ୍ତ କରୁଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ