ସମ୍ବଲପୁର: ଆଜିଠୁ (ବୁଧବାର) ଆରମ୍ଭ ହୋଇଛି ହୀରାକୁଦ ଇକୋ ରିଟ୍ରିଟ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭ ଉଦଘାଟନ କରିଛନ୍ତି । ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା, ସମ୍ବଲପୁର ଡିଆଇଜି ଦୀପକ କୁମାର, ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ତଥା କୁଚିଣ୍ଡା ବିଧାୟକ କିଶୋର ନାଏକ ଏହି କାର୍ଯ୍ୟକ୍ରମରେ ସମିଲ ହୋଇଥିଲେ ।
ଏଥର ମଧ୍ୟ ଇକୋ ରିଟ୍ରିଟରେ ପର୍ଯ୍ୟଟକ ମାନଙ୍କ ରହଣୀ ପାଇଁ ସବୁ ସୁବିଧା କରାଯାଇଛି । ଏହାସହ ଏଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ୱାଟର ସ୍ପୋର୍ଟର ବ୍ୟବସ୍ଥା ରହିଛି । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିବେ ବୋଲି ଆଶା କରାଯାଉଛି ।
ଚଳିତ ବର୍ଷ ପର୍ଯ୍ୟଟକ ମାନଙ୍କ ପାଇଁ 20ଟି ପ୍ରିମିୟମ ଓ 8ଟି ରୟାଲ କଟେଜର ବ୍ୟବସ୍ଥା କରାଯାଇଛି । ଏହା ହ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଦେବରିଗଡ଼ ଅଭୟାରଣ୍ୟ, ହୀରାକୁଦ ଡ୍ୟାମ, ରୋପ ୱେ, ହୁମାର ବକ୍ର ମନ୍ଦିର, ଘଣ୍ଟେଶ୍ୱରୀ ମନ୍ଦିର ପରିଦର୍ଶନର ବ୍ୟବସ୍ଥା କରାଯାଇଛି । ଆଜିଠୁ ଆରମ୍ଭ ହୋଇଥିବା ଏହି ଇକୋ ରିଟ୍ରିଟ ଫେବ୍ରୁଆରୀ 28 ପର୍ଯ୍ୟନ୍ତ ଚାଲିବ । ଏହାସହ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଡିଆଇଜି ସୂଚନା ଦେଇଛନ୍ତି ।