ସମ୍ବଲପୁର : ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ ସ୍କୁଲରେ ନିର୍ଯାତନା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ନେଇ ଅଭିଯୋଗ । ସମ୍ବଲପୁର ଗୋଶାଳାସ୍ଥିତ ସୈନିକ ସ୍କୁଲରେ ଘଟିଛି ଏଭଳି କାଣ୍ଡ । ଏହି ସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ କେତେକ କର୍ମଚାରୀ ଅକାରଣରେ ଦଣ୍ଡ ଦେଇଥିଲେ । ଖାଲି ସେତିକି ନହେଁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିବା ନେଇ ଅଭିଯୋଗ ହୋଇଛି। ସ୍କୁଲ ପରିସର ଦଣ୍ଡମୁକ୍ତ ଅଞ୍ଚଳ ହୋଇଥିବା ବେଳେ ଏକ ପ୍ରତିଷ୍ଠିତ ସ୍କୁଲରେ କିଭଳି ଏଭଳି ଘଟଣା ଘଟିଲା ସେନେଇ ଚର୍ଚ୍ଚା ହେଉଛି । ଏନେଇ ବୁର୍ଲା ଥାନାରେ ଛାତ୍ରଙ୍କ ଅଭିଭାବକ ଲିଖିତ ଅଭିଯୋଗ କରିଛନ୍ତି ।
ତେବେ ସ୍କୁଲରେ ଏମିତି ଅନ୍ୟ କେତେକ ଛାତ୍ରଙ୍କ କ୍ଷେତ୍ର ମଧ୍ୟ ହେଉଥିବା ଅଭିଯୋଗ ହୋଇଛି । ଏନେଇ ସମ୍ପୃକ୍ତ ଛାତ୍ରଙ୍କ ବାପା ସମ୍ବଲପୁର ବୁର୍ଲା ଥାନାରେ ଲିଖିତ ଭାବେ ଏକ ଏତଲା ଦେଇଛନ୍ତି । ଏତଲାରେ ଉଲ୍ଲେଖ ଅଛି ଯେ ସ୍କୁଲର କେତେକ କର୍ମଚାରୀ ସ୍ଥାନ କାଳପାତ୍ର ନଦେଖି ଅକାରଣରେ ଛାତ୍ରଙ୍କୁ ଦଣ୍ଡ ଦେଉଛନ୍ତି l ବିଭିନ୍ନ ସମୟରେ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି ।
ଏଭଳି ସ୍ଥିତିରେ ଛାତ୍ରଜଣକ ଭୟଭୀତ ହୋଇ ରହୁଥିବା ବେଳେ ପାଠ ବଢିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟଯେ ଚଳିତବର୍ଷ ଛାତ୍ର ଜଣକ ଏହି ସ୍କୁଲରେ ଷଷ୍ଠ ଶ୍ରେଣୀରେ ଆଡମିସନ କରିଥିଲେ l ତେବେ ପ୍ରଥମ 15 ଦିନ ଛାତ୍ରଙ୍କୁ ପରିବାର ଲୋକଙ୍କ ସହ ଫୋନରେ କଥାବାର୍ତ୍ତା କରିବାକୁ ଦିଆଯାଇନଥିଲା । ପରେ ନିୟମ ମୁତାବକ ଜଣେ ଛାତ୍ର ସପ୍ତାହରେ ଥରେ ନିଜ ପରିବାର ଲୋକଙ୍କ ସହ 22 ମିନିଟ କଥା ହୋଇପାରିବେ ବୋଲି କୁହାଯାଇଥିଲା ।
କିନ୍ତୁ ଛାତ୍ର ଜଣକ 4ରୁ 5 ମିନିଟ କଥା ହୋଇ ଫୋନ ରଖି ଦେଉଥିବା ପରେ ପରିବାର ଲୋକଙ୍କୁ ସନ୍ଦେହ ହୋଇଥିଲା । ଏହାପରେ ପରିବାର ଲୋକେ ପଚରାଉଚରା କରିବାରୁ ସବୁ କଥା ଜଣା ପଡ଼ିଥିଲା । ଏନେଇ ବୁର୍ଲା ଥାନାକୁ ସ୍କୁଲର କତେକ କର୍ମଚାରୀଙ୍କୁ ଡକାଯାଇ ପଚରାଉଚରା କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l ଆଗକୁ ଥାନାର ତଦନ୍ତକାରୀ ଅଧିକାରୀ ସ୍କୁଲକୁ ଯାଇ ପଚାରଉଚରା କରିବେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସତ୍ୟା ସତ୍ୟ କ'ଣ ରହିଛି ପୋଲିସ ତଦନ୍ତ ପରେ ଜଣା ପଡିବ । ଏହାର ସଠିକ ତଦନ୍ତ ଦାବି କରିଛନ୍ତି ଛାତ୍ରଙ୍କ ପରିବାର ଲୋକେ ।
ଏ ସମ୍ପର୍କରେ ଅଭିଭାବକ ଜଣକ କହିଛନ୍ତି "ଚଳିତ ବର୍ଷ ପୁଅକୁ ସେ ଏଠାରେ ଆଡମିସନ କରାଇଛି । ସ୍କୁଲ ଆସିବାର ପ୍ରଥମ କିଛି ଦିନ ଖୁସିରେ ଥିଲା ମୋ ପୁଅ । ହେଲେ ସ୍କୁଲ ଯିବାର ୧୫ଦିନ ଯାଏଁ ସେମାନେ ମୋ ପୁଅ ସହ କୌଣସି କଥାବାର୍ତ୍ତା କରାଇବାକୁ ଦେଇନଥିଲେ । କାରଣ ସ୍କୁଲର କର୍ମଚାରୀ କହିଥିଲେ ଆପଣମାନେ କଥା ହେଲେ ପିଲାମାନେ ଏଠାରେ ରହିବା ମୁସ୍କିଲ ହୋଇଯିବ । ପାଠ ଅପେକ୍ଷା ଘର କଥା ବେଶୀ ମନେ ପକାଇବେ । ତେଣୁ ଏଥିରେ ଆପଣମାନେ ଆମକୁ ସହଯୋଗ କରନ୍ତୁ । ସ୍କୁଲ କର୍ମଚାରୀଙ୍କ କଥାକୁ ଶୁଣି ଆମେ ମଧ୍ୟ ତାଙ୍କୁ ସମ୍ମାନ ଦେଇ ପିଲାଙ୍କୁ ଛାଡ଼ିକି ଗଲୁ । ୧୫ଦିନ ପରେ ପିଲାମାନେ ତାଙ୍କ ପରିବାର ସହ ୨୨ ମିନିଟ କଥା ହୋଇପାରିବେ ବୋଲି ସ୍କୁଲରେ ନିୟମ ଥିବା କହିଥିଲେ କର୍ମଚାରୀ। ହେଲେ ପିଲା ୨୨ ମିନିଟ ପରିବର୍ତ୍ତେ ୫ ମିନଟ କଥା ହୋଇଥିଲା । ଯାହାକୁ ନେଇ ସନ୍ଦେହ ବଢ଼ି ଚାଲିଥିଲା" ।
ଇଟିଭି ଭାରତ, ସମ୍ବଲପୁର