ସମ୍ବଲପୁର: ଦୁଲୁକୁଛି ସମ୍ବଲପୁର ସହର । ଦେବ ବିବାହ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସବୁଠି ଉତ୍ସବ ମୁଖର । ଶନିବାର ଦେବୀ ପାର୍ବତୀଙ୍କ ପାଣିଗ୍ରହଣ ପାଇଁ ବରଯାତ୍ରୀ ନେଇ ବାହାରିବେ ଦେବ ଦେବ ମହାଦେବ । ଏଥିପାଇଁ ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ପୂର୍ବ ପ୍ରସ୍ତୁତି ସରିଛି । ଗୁରୁବାର ରାତିରେ ଦେବ ଦମ୍ପତିଙ୍କ ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟ ସରିଛି ।
ଝାଡୁଆପଡା, ମୁଦିପଡା,ବଡ଼ବଜାର ଆଦି ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟିଗୁଡ଼ିକର ବରପିତା ସପ୍ତଋଷିଙ୍କ ସହ କନ୍ୟା ଅନ୍ୱେଷଣରେ ବାହାରି ରାତି ପ୍ରାୟ 11 ଟା ସମୟରେ କନ୍ୟା ଘରେ ପହଞ୍ଚିଥିଲେ । ଏହାପରେ କନ୍ୟା ଘର ପକ୍ଷରୁ ବରପକ୍ଷଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯିବା ସହ ନିର୍ବନ୍ଧ ବା ପତରପେଣ୍ଡି ନୀତି ସମ୍ପନ୍ନ ହୋଇଛି ।
ପାରମ୍ପାରିକ ବାଜା, ଶଙ୍ଖ, ଘଣ୍ଟାର ତାଳେ ତାଳେ ବାହାରିଥିଲା ବାଲୁଙ୍କେଶ୍ୱର ବାବାଙ୍କ କନ୍ୟା ଅନ୍ୱେଷଣର ଶୋଭାଯାତ୍ରା । ଏହା ପରେ ବରପକ୍ଷ ଯାଇ ପହଞ୍ଚିଥିଲେ କନ୍ୟାପିତାମାତା ହୋଇଥିବା ଦମ୍ପତି ଗିରିଷ ପଟେଲ ଓ ହଂସା ପଟେଲଙ୍କ ଘରେ । ସେଠାରେ ବରପକ୍ଷ ପହଞ୍ଚିବା ପରେ କନ୍ୟା ପକ୍ଷରୁ ବରପକ୍ଷଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଘରକୁ ପାଛୋଟି ନିଆଯାଇଥିଲା । ଏହାପରେ ବରପକ୍ଷ ପକ୍ଷରୁ ସପ୍ତଋଷି ନିଜର ଆଗମନର ଅଭିପ୍ରାୟ ବିଷୟରେ କନ୍ୟା ପକ୍ଷଙ୍କୁ ଅବଗତ କରାଇ କହିବା ସହ ଭଗବାନ ଶିବଙ୍କ ପାଇଁ କନ୍ୟା ଅନ୍ୱେଷଣରେ ଆସିଥିବା କହି ମାତା ପାର୍ବତୀଙ୍କ ହାତ ମାଗିଥିଲେ ।
ତେବେ ପ୍ରଥମେ କନ୍ୟାପକ୍ଷ ବରପକ୍ଷଙ୍କ ପ୍ରସ୍ତାବରେ ଅରାଜି ହୋଇ କନ୍ୟା ଦେବାକୁ ମନା କରିଥିଲେ । ଭଗବାନ ଶିବଙ୍କ ଗୁଣଗାନ ସପ୍ତଋଷିଙ୍କ ଠାରୁ ଶୁଣିବା ପରେ ପରବର୍ତ୍ତୀ ସମୟରେ କନ୍ୟାପକ୍ଷ ପ୍ରସ୍ତାବରେ ରାଜି ହୋଇଥିଲେ । ଏହା ପରେ ପାରମ୍ପରିକ ପୂଜାର୍ଚ୍ଚନା ସହିତ ଶିବ ପାର୍ବତୀଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା ।
ବୁଧବାର ରାତିରେ ସମ୍ପନ୍ନ ହୋଇଛି ସମ୍ବଲପୁର ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରାର ନୃସିଂହ ନିଉତା ବା ଦେବ ନିମନ୍ତ୍ରଣ । ରାତ୍ରୀ ପ୍ରାୟ ସାଢ଼େ 9 ଟା ସମୟରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଭଗବାନ ନୃସିଂହ ଦିବ୍ୟ ରଥରେ ଆରୁଢ଼ ହୋଇ ଦେବ ନିମନ୍ତ୍ରଣ ପାଇଁ ବାହାରିଥିଲେ ।
ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ କେବଳ ନନ୍ଦପଡାରେ ନୃସିଂହ ନିଉତା ପରମ୍ପରା ହୋଇଥାଏ, ଅନ୍ୟ ଯାତ୍ରା କମିଟିଗୁଡିକରେ ହନୁମାନ ନିଉତାର ପରମ୍ପରା ରହିଛି । ଗୁରୁବାର ଝାଡୁଆପଡା, ମୁଦିପଡା, ବଡ଼ବଜାର, ଠାକୁରପଡା ଆଦି ଯାତ୍ରା କମିଟିର ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟ ଶେଷ ହୋଇଛି । ସନ୍ଧ୍ୟା ପ୍ରାୟ ସାଢ଼େ 7 ଟା ସମୟରେ ଝାଡୁଆପଡା, ମୁଦିପଡା, ବଡ଼ବଜାର ଆଦି ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟି ଗୁଡ଼ିକର ବରପିତା ସପ୍ତଋଷିଙ୍କ ସହ କନ୍ୟା ଅନ୍ୱେଷଣରେ ବାହାରିଥିଲେ ।
ପାରମ୍ପରିକ ନୃତ୍ୟ ଗୀତର ତଳେ ତାଳେ ବରପିତା ଓ ସପ୍ତଋଷିଙ୍କ କନ୍ୟା ଅନ୍ୱେଷଣ ଶୋଭଯାତ୍ରା ବାହାରିଥିଲା । ଏହା ପରେ ରାତ୍ରୀ ପ୍ରାୟ 11 ଟା ସମୟରେ କନ୍ୟା ଘରକୁ ପହଞ୍ଚିବା ପରେ ବରପକ୍ଷର ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରବର୍ତ୍ତୀ ସମୟରେ ଦେବ ଦମ୍ପତିଙ୍କ ନିର୍ବନ୍ଧ ବା ପତରପେଣ୍ଡି ସମ୍ପନ୍ନ ହୋଇଥିଲା । ଆସନ୍ତାକାଲି(ଶନିବାର) ଦେବ ଦମ୍ପତି ବିବାହ ବା ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ ।
ତେବେ ଆବାହମାନ କାଳରୁ ଚାଲି ଆସୁଥିବା ଏହି ପରମ୍ପରା ଓ ସଂସ୍କୃତି ଗତ ଦୁଇବର୍ଷ ଧରି କୋଭିଡ କଟକଣା କାରଣରୁ ଭକ୍ତଙ୍କ ବିନା ଅନୁଷ୍ଠିତ ହୋଇଥିଲା । ଚଳିତ ଥର କଟକଣା ହଟିଥିବାରୁ ପ୍ରବଳ ଜନ ସମାଗମର ଆଶଙ୍କା କରି ଜିଲ୍ଲା ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରିଛି । ତେବେ ଶାନ୍ତି ଶୃଙ୍ଖଳାର ସହ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେଉ ବୋଲି ସଭିଙ୍କ କାମନା ।
ଇଟିଭି ଭାରତ, ସମ୍ବଲପୁର