ସମ୍ବଲପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ସମଲେଶ୍ବରୀ । ଐତିହାସିକ ସମ୍ବଲପୁର ସହରର ମହାନଦୀ କୂଳରେ ରହିଛି ମା’ ସମଲେଶ୍ବରୀଙ୍କ ପୀଠ। ମା’ଙ୍କ ଉପରେ ପଶ୍ଚିମ ଓଡିଶା ବାସୀଙ୍କର ରହିଛି ପ୍ରଗାଢ଼ ବିଶ୍ବାସ । ସମ୍ବଲପୁର ସ୍ଥିତ ମା’ ସମଲେଶ୍ବରୀଙ୍କ ପୀଠରେ ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଏହି ଶକ୍ତି ପୀଠକୁ ନେଇ ରହିଛି ଅନେକ କିମ୍ବଦନ୍ତୀ । କୁହାଯାଏ ମା’ ସମଲେଶ୍ବରୀ ହେଉଛନ୍ତି ସମ୍ବଲପୁର ଆଦିବାସୀଙ୍କ ଆରାଧ୍ୟ ଦେବୀ।
ପୂର୍ବକାଳରେ ସମ୍ବଲପୁର ଅଞ୍ଚଳକୁ ସମ୍ବଳ ବୋଲି କୁହାଯାଉଥିଲା। ଆଉ ସମ୍ବଲପୁରର ମହାନଦୀ ମଧ୍ୟରେ ରହିଥିଲା ଏକ 'ଗୁମ ଦରହ' ବା ଗଣ୍ଡ। ସେହି ଗଣ୍ଡ ମଧ୍ୟରେ ରହିଥିଲା ଏକ ଶୀଳାଖଣ୍ଡ । ଯାହାକୁ ଲୋକେ ନଦୀମଧ୍ୟରେ ଥିବା ଦେବୀ ବୋଲି ବିଶ୍ବାସ କରୁଥିଲେ । ସେତେବେଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ନଦୀମାର୍ଗ ଦେଇ ଯାଉଥିଲେ ଲୋକେ । ଆଉ ଗଣ୍ଡରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଗଣ୍ଡ ମଧ୍ୟରେ ଥିବା ଦେବୀଙ୍କୁ ସୁମରଣା କରି ନଦୀ ଅତିକ୍ରମ କରୁଥିଲେ। ଲୋକଙ୍କର ବିଶ୍ବାସ ରହିଥିଲା ଯେ ଦେବୀଙ୍କୁ ସ୍ମରଣ କଲେ ବିନା କୌଣସି ବାଧା ବିଘ୍ନରେ ସେମାନେ ନଦୀ ପାରି ହୋଇଯିବେ । ତେବେ ନଦୀ ମଧ୍ୟରେ ଥିବା ସେହି ଦେବୀଙ୍କୁ ସମ୍ବଳର ଇଷ୍ଟଦେବୀ ସମଲେଶ୍ବରୀ ବୋଲି କୁହାଯାଉଥିଲା । ମୁଖ୍ୟତଃ ସ୍ଥାନୀୟ ଆଦିବାସୀ ଓ ମତ୍ସ୍ୟଜୀବୀମାନେ ମା’ଙ୍କୁ ପୂଜା କରୁଥିଲେ।
ପରବର୍ତ୍ତୀ ସମୟରେ ସମ୍ବଲପୁରକୁ ଚୌହାନ ବଂଶୀୟ ରାଜାଙ୍କ ଆଗମନ ହୋଇଥିଲା। 1556 ମସିହାରେ ରାଜା ବଳରାମ ଦେବ ସମ୍ବଲପୁର ରାଜ୍ୟ ସ୍ଥାପନା କରିବା ସହ ସ୍ଥାନୀୟ ଲୋକଙ୍କ ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କୁ ନିଜ ଇଷ୍ଟ ଦେବୀ ଭାବେ ପୂଜାର୍ଚ୍ଚନା କରୁଥିଲେ। ଏହା ପରେ ରାଜା ମହାନଦୀ କୂଳରେ ଏକ ସିମିଳି ଗଛ ତଳେ ମାଁଙ୍କ ଏକ ମୂର୍ତ୍ତି ସ୍ଥାପନା କରି ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦିନଠାରୁ ଆର୍ଯ୍ୟ ଓ ଆଦିବାସୀ ସଂସ୍କୃତିର ମିଳନ ହୋଇଥିଲା ବୋଲି ଐତିହାସିକଙ୍କ ମତ ରହିଛି। ମନ୍ଦିରରେ କ୍ଷତ୍ରୀୟ ବା ରାଜପୁତ ସମ୍ପ୍ରଦାୟର ଲୋକେ ପୂଜାର୍ଚ୍ଚନା କରି ଆସୁଛନ୍ତି।
ପାର୍ବଣ ଋତୁରେ ମା’ଙ୍କ ପୀଠରେ ଜମେ ଭକ୍ତଙ୍କ ଭିଡ । ପୁଅଜିଉଁତିଆ ଠାରୁ ଆରମ୍ଭ ହୁଏ ମା’ଙ୍କ ଷୋଳ ପୂଜା । ବର୍ଷ ସାରା ସିନ୍ଦୁର ମଣ୍ଡିତା ହୋଇ ଭକ୍ତଙ୍କ ଦର୍ଶନ ଦେଉଥିବା ମା’ ମହାଳୟା ଦିନ ଧବଳମୁଖୀ ବା ଗଙ୍ଗା ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି ଦିନ ଯିଏ ମାଙ୍କୁ ଦର୍ଶନ କରେ ତାକୁ ଗଙ୍ଗା ସ୍ନାନର ଫଳ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । କେବଳ ସମ୍ବଲପୁର କିମ୍ବା ପଶ୍ଚିମ ଓଡିଶା ନୁହେଁ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକେ ମା’ଙ୍କ ଆଶୀର୍ବାଦ ନେବା ପାଇଁ ଆସନ୍ତି । ଆଉ ମା’ଙ୍କ ଉପରେ ଭକ୍ତଙ୍କର ରହିଛି ପ୍ରଗାଢ଼ ବିଶ୍ବାସ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ