ସମ୍ବଲପୁର: ସମ୍ବଲପୁର ସହରର ଏସପି ଅଫିସ ସମ୍ମୁଖରେ ଜଣେ ଓକିଲଙ୍କ ଫିଲ୍ମ ଷ୍ଟାଇଲରେ ମରଣାନ୍ତକ ଆକ୍ରମଣ । ସେ ପୁଣି ନିଜ ଶଳା ଓ ଶ୍ବଶୁରଙ୍କ ଉପରେ । ନିଜର ପାରିବାରିକ ବିବାଦ ନେଇ ମାମଲା କୋର୍ଟରେ ଚାଲୁଥିବାବେଳେ ଏହାଉପରେ ରାଗ ରଖି ସୋମବାର ଅପରାହ୍ନରେ ଓକିଲ ଜଣଙ୍କ ଏଭଳି ଉନ୍ମତ୍ତକାଣ୍ଡ କରି ବସିଛନ୍ତି । ଏନେଇ ଓକିଲଙ୍କ ସ୍ତ୍ରୀ ଥାନାରେ ସ୍ବାମୀଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନାନୁସାରେ ଗତ ୯ ବର୍ଷ ତଳେ ସମ୍ବଲପୁରର ବୁର୍ଲା ଓକିଲ ପଞ୍ଚାନନ ଦାଶ ତାଳଚେରର ଚିନ୍ମୟୀ ମହାପାତ୍ରଙ୍କୁ ବିବାହ କରିଥିଲେ । ହେଲେ ବିବାହର କିଛି ମାସ ପରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା । ଏହାପରେ ଉଭୟ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ତେବେ କୋର୍ଟରେ ବିବାଦର ମାମଲା ତୁଟି ନଥିବାବେଳେ, ଓକିଲ ପଞ୍ଚାନନ ଆଜି ପୁଣି ଆଉ ଏକ ଦୁର୍ଘଟଣା ଘଟାଇଛନ୍ତି । ସହରର ଏସପି ଅଫିସ ସମ୍ମୁଖରେ ଚିନ୍ମୟୀଙ୍କ ବାପା ଓ ଭାଇ ଛିଡ଼ା ହୋଇଥିବାବେଳେ ପଞ୍ଚାନନ ନିଜ କାର ଯୋଗେ ପ୍ରଥମେ ଶ୍ବଶୁରଙ୍କୁ ଧକ୍କା ଦେଇଥିଲେ ।
ମାତ୍ର ଅଳ୍ପକେ ବଞ୍ଚି ଯାଇଥିଲେ ଶ୍ବଶୁର । ଏହାପରେ ଏସପି ଅଫିସ ପାଖରେ ଛିଡ଼ା ହୋଇଥିବା ଶଳାଙ୍କ ଉପରେ କାର ମଡ଼ାଇ ଦେଇଥିଲେ । ତେବେ ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ପଞ୍ଚାନନ କାର୍ ଯୋଗେ ଏସପି ଅଫିସର ପାଚେରୀକୁ ଭାଙ୍ଗି ଦେଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ଉତ୍ତ୍ୟକ୍ତ ଓକିଲକୁ ମାଡ଼ ମାରିଥିଲେ । ଏହାପରେ ଜିଲ୍ଲା ଓକିଲ ସଙ୍ଘର ପ୍ରମୁଖ ସଦସ୍ୟ ଘଟଣାସ୍ଥଳରେ ପହଁଞ୍ଚି ପଞ୍ଚାନନକୁ ପୋଲିସକୁ ହସ୍ତାନ୍ତର କରିଥିଲେ । ସେପଟେ ପୋଲିସ ଓକିଲ ପଞ୍ଚାନନକୁ ଥାନାରେ ଅଟକାଇ ପଚରାଉଚରା କରୁଛି ।
ଇଟିଭି ଭାରତ, ସମ୍ବଲପୁର