ସମ୍ବଲପୁର: ସମ୍ବଲପୁର ଝାରସୁଗୁଡା ରାସ୍ତା ଶାସନ ଥାନା ଅନ୍ତର୍ଗତ ଟୋଲ ଗେଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ 3 ଜଣଙ୍କ ଜୀବନ ଯାଇଥିବା ବେଳେ ଅଟୋ ଡ୍ରାଇଭର ସହ 6 ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ଆଜି ସକାଳ 8ଟା ସମୟରେ ନୂଆ ଖୁରୀଗାଁରୁ ସମ୍ବଲପୁର ଅଭିମୁଖେ ଏକ ଅଟୋ ଜରିଆରେ 8 ଜଣ ଯାତ୍ରୀ ଆସୁଥିଲେ। ଟୋଲ ଗେଟ ନିକଟରେ ରାସ୍ତାରେ ଠିଆ ହୋଇଥିବା ଏକ ହାଇୱା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଅଟୋ । ଫଳରେ ଅଟୋଟି ଭୀଷଣ କ୍ଷତିଗ୍ରସ୍ତ ହେବା ସହ ଅଟୋରେ ଥିବା 3 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଟୋ ଡ୍ରାଇଭର ସହ 6 ଜଣ ଗୁରୁତର ହୋଇଛନ୍ତି । ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 5 ଜଣ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ଶାସନ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ ସୂଚନା ଦେଇଛନ୍ତି ।
ମୃତକମାନେ ହେଲେ କଳାହାଣ୍ଡି କେସିଙ୍ଗା ଥାନା ଅନ୍ତର୍ଗତ ଭାମରାମାଲ ଗାଁର ପୁନମ ବାଗ, ନେମିଶିକା ବାଗ ଓ ବେଣୁଧର ବାଗ । ଅନ୍ୟ ଆହତମାନେ ହେଲେ ସେହି ଗାଁର ବୈଦେହୀ ବାଗ, ପୁରବୀ ବାଗ, ଜୟନ୍ତୀ ବାଗ, ବାଦଲ ବାଗ ଓ ପିଙ୍କି ଶିକା ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପଟେ ଅଟୋର ଡ୍ରାଇଭର ଝାରଘାଟି ଗାଁର ରାକେଶ ପାଣିଗ୍ରାହୀ ମଧ୍ୟ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ଗ୍ରସ୍ତ ଅଟୋ ଓ ଟ୍ରକକୁ ପୋଲିସ ଥାନାକୁ ନେଇଥିବା ବେଳେ ହାଇୱା ଟ୍ରକ ଡ୍ରାଇଭରକୁ ଥାନାରେ ଅଟକ ରଖା ଯାଇଛି ।
ଏହା ବି ପଢ଼ନ୍ତୁ: Balasore Train Accident: ବାହାନଗାରେ କଂଗ୍ରେସ ନେତା ଅଧୀର ରଞ୍ଜନ, ହଟିଲା କ୍ଷତିଗ୍ରସ୍ତ ବଗି
ବର୍ତ୍ତମାନ ବୁର୍ଲା ମେଡିକାଲରେ ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି । ଅଟୋଟି ଖୁରୀଗାଁର ସାଲାସାର ରାଇସ ମିଲରୁ ସମ୍ବଲପୁର କ୍ଷେତରାଜପୁର ରାଇସ ମିଲକୁ ଯାଉଥିଲା । ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ହୋଇଛି ପୋଲିସ ତାର ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ, ସମ୍ବଲପୁର