ସମ୍ବଲପୁର: ଗଞ୍ଜେଇ ଚାଲାଣ କରୁଥିବା ମାଫିଆଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କଲା ସମ୍ବଲପୁର ପୋଲିସ । ସମ୍ବଲପୁରର ଶାସନ ଥାନା ଅଞ୍ଚଳରେ ଗଞ୍ଜେଇ ଚାଲାଣ ରାକେଟ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ କୁମାର ଲେଙ୍କା ଓ ତା ସ୍ତ୍ରୀ ଏବଂ ଶଳାର ଆକାଉଣ୍ଟକୁ ଅଚଳ କରିଛି ପୋଲିସ । ଏମାନଙ୍କ ନାଁରେ ଥିବା ୨୩ଟି ଆକାଉଣ୍ଟକୁ ଫ୍ରିଜ୍ କରିଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି ।
ଏହି ଆକାଉଣ୍ଟ ଗୁଡ଼ିକରେ ୧୬ଲକ୍ଷ ୩୨ହଜାର ଟଙ୍କା ରହିଛି । ପୋଲିସ ତଦନ୍ତ ସମୟରେ ଏତେ ପରିମାଣ ଟଙ୍କାର ଆୟର ମାଧ୍ୟମ ନେଇ କୌଣସି ସ୍ପଷ୍ଟ ତଥ୍ୟ ଦେଇ ନପାରିବାରୁ ଏନଡିପିଏସ(NDPS) ଆକ୍ଟରେ ସବୁ ଟଙ୍କା ଫ୍ରିଜ କରାଯାଇଛି ବୋଲି ପୋଲିସ କହିଛି । ଏଥିସହ ସୁଶାନ୍ତ ଲେଙ୍କା ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ସମସ୍ତ ସମ୍ପତ୍ତି ମଧ୍ୟ ଫ୍ରିଜ କରାଯାଇଛି ବୋଲି ଏସପି କହିଛନ୍ତି । ଏପଟେ ଏହି ଘଟଣାର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ନେଇ ପୋଲିସ କହିଥିବାବେଳେ ତଦନ୍ତ କରାଯାଉଛି ବୋଲି ଏସପି କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ