ସମ୍ବଲପୁର: ଉଦଘାଟିତ ହୋଇଛି ସମ୍ବଲପୁରର ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭର( sambalpur most awaited fly over bridge to be inaugurated) । ଆଜି ସମ୍ବଲପୁର କଚେରୀ ଛକ ନିକଟରେ ଫ୍ଲାଏ ଓଭର ଉପରେ ଆୟୋଜିତ ଏକ ଉଦଘାଟନି କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଫ୍ଲାଏ ଓଭରର ଉଦଘାଟନ କରିଛନ୍ତି ।
ଉଦଘାଟିତ ହୋଇଛି ସମ୍ବଲପୁର ସହରର ନବ ନିର୍ମିତ ଫ୍ଲାଏ ଓଭର ବ୍ରିଜ । ଆଜି ସମ୍ବଲପୁର କଚେରୀ ଛକ ନିକଟରେ ଫ୍ଲାଏଓଭର ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ , ଉତ୍ତରାଞ୍ଚଳ ଆରଡିସି ଡ଼ ସୁରେଶ ଚନ୍ଦ୍ର ଦଳେଇ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ସମ୍ବଲପୁର ଏସପି ପ୍ରମୁଖ ଯୋଗ ଦେଇଥିଲେ ।
ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଫିତା କାଟିଥିବା ବେଳେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦଘାଟନି ନାମ ଫଳକ ଅନାବରଣ କରି ବ୍ରିଜର ଉଦଘାଟନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । 2016 ର ଫେବୃଆରୀ ରୁ ଏହି ବ୍ରିଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ବାଦ ବିବାଦ ଯୋଗୁଁ ଏହାର ଉଦଘାଟନ ପାଇଁ 6 ବର୍ଷ ଲାଗିଗଲା । ସମ୍ବଲପୁରର କଚେରୀ ଛକରୁ ଧୁତୁରାପଡା ଛକ କୁ ଏହି ବ୍ରିଜ ସଂଯୋଗ କରୁଛି । ଏହା ଦ୍ୱାରା ସହରରେ ଟ୍ରାଫିକ ସମସ୍ୟା କିଛି ମାତ୍ରା ରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।
ତେବେ ସେବା ମାର୍ଗ ସମ୍ପୂର୍ଣ୍ଣ ହୋଇ ନଥିବାରୁ କେତେକ ସ୍ଥାନରେ ଟ୍ରାଫିକ ସମସ୍ୟାର ସମ୍ଭାବନା ରହିଛି । ତେଣୁ ଏହାର ଉଦଘାଟନକୁ ନେଇ କେତେକ ଲୋକ ପ୍ରଶ୍ନ ମଧ୍ୟ କରିଥିଲେ ।
ଇଟିଭି ଭାରତ, ସମ୍ବଲପୁର