ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହର । ପାହାଡ ଜଙ୍ଗଲ ଘେରା ପ୍ରାକୃତିକ ଶୋଭାରାଜିରେ ଭରପୂର ସହରର ଚତୁଃପାର୍ଶ୍ବ । ବିଶ୍ବ ପ୍ରସିଦ୍ଧ ହୀରାକୁଦ ଡ୍ୟାମ, ପ୍ରସିଦ୍ଧ ସମ୍ବଲେଶ୍ବରୀ ମନ୍ଦିର, ଘଣ୍ଟେଶ୍ବରୀ ମନ୍ଦିର, ହୁମାର ବକ୍ର ମନ୍ଦିର, ଗୁଦୁଗୁଦା ଜଳପ୍ରପାତ, ବାର ପାହାଡ ଜଙ୍ଗଲ, ବଡରମା ଅଭୟାରଣ୍ୟ, ଲେପ୍ଟ ଡାଇକ, ରାଇଟ ଡାଇକ, ଡେବ୍ରିଗଡ ଅଭୟାରଣ୍ୟ, ଯୁଜୁମରାର ଦେବଝରଣ ଭଳି ଜଳପ୍ରପାତ ଆଦି ରହିଛି । ହେଲେ ଦୁଃଖର ବିଷୟ ଜିଲ୍ଲାରେ ଏତେ ସୁନ୍ଦର ପର୍ଯ୍ୟଟନସ୍ଥଳୀ ଥାଇ ମଧ୍ୟ ଏଠାରେ ଜମୁନି ପର୍ଯ୍ୟଟକଙ୍କ ଭିଡ ।
ତେବେ ଜିଲ୍ଲାରେ ଥିବା ଏସବୁ ସ୍ଥାନର ବିକାଶ ଦିଗରେ ଧ୍ୟାନ ଦେଇ ଏକ ଟୁରିଜିମ ସର୍କିଟ କରାଯାଇପାରନ୍ତା, ତେବେ ଏ ଅଞ୍ଚଳ ଜାତୀୟ ତଥା ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇପାରନ୍ତା । ଏପରିକି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ରାଜସ୍ବ ବୃଦ୍ଧିରେ ବି ବେଶ ସହାୟକ ହୋଇପାରନ୍ତା । କେବଳ ସେତିକି ନୁହେଁ ଜିଲ୍ଲାରେ ହୋଟେଲ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିକାଶ ହେଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୃଷ୍ଟି ଆଶଙ୍କାକୁ ବି ଏଡାଇ ଦିଆଯାଇନପାରେ ।
ଗତ କିଛି ମାସ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ସମ୍ବଲେଶ୍ବରୀ ମନ୍ଦିର ଗସ୍ତରେ ଆସି ଏହାର ଉନ୍ନତିକରଣ କରିବା ସହ ହୀରାକୁଦ ଡ୍ୟାମକୁ ଉଚ୍ଚସ୍ତରରେ ପର୍ଯ୍ୟଟନ ସ୍ଥଳୀ କରିବାକୁ ଘୋଷଣା କରିଥିଲେ । ପରେ ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ମଧ୍ୟ ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ଡ୍ୟାମ ପରିଦର୍ଶନ କରି ସମ୍ଭାବ୍ୟ ପର୍ଯ୍ୟଟନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ନିକଟରେ ସମଲେଶ୍ୱରୀ ମନ୍ଦିରରେ ଲାଇଟ ସାଉଣ୍ଡ ପ୍ରୋଜେକ୍ଟ ପାଇଁ ଅର୍ଥ ବରାଦ ଓ ଟେଣ୍ଡର ହୋଇସାରିଥିବା ଜଣାପଡିଛି । ତେବେ ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ସମ୍ବଲପୁର ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନ ସ୍ଥଳ ଗୁଡିକୁ ନେଇ ଏକ ଟୁରିଜିମ ସର୍କିଟ ହେବାର ଆଶା ଉଜ୍ଜୀବିତ ହୋଇଛି ।
ବିଗତ କିଛି ବର୍ଷ ହେବ ସମ୍ବଲପୁର ଜିଲ୍ଲାରେ ବଢିଛି ପର୍ଯ୍ୟଟକଙ୍କ ସଂଖ୍ୟା । ପର୍ଯ୍ୟଟନ ବିଭାଗର ସୂଚନାନୁସାରେ 2016ରେ 11 ଲକ୍ଷ 07 ହଜାର 001, 2017ରେ 12 ଲକ୍ଷ 18 ହଜାର 538 ଓ 2018ରେ 13 ଲକ୍ଷ୍ୟ 70 ହଜାର 329 ଜଣ ପର୍ଯ୍ୟଟକ ସମ୍ବଲପୁର ଆସିଥିଲେ । ଯଦି ଆଗାମୀ ଦିନରେ ଏହି ପର୍ଯ୍ୟଟନସ୍ଥଳୀ ଗୁଡିକର ସମନ୍ବିତ ବିକାଶ ହୋଇପାରିବ ତେବେ ସ୍ଥାନୀୟ ଅଞ୍ଚଳର ବିକାଶ ସହ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ରରେ ବି ରିଭେନ୍ୟୁ ବଢିବା ନେଇ ଆଶା କରାଯାଉଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ