ସମ୍ବଲପୁର: ନଭେମ୍ବର 15 ତାରିଖରୁ ପଶ୍ଚିମ ଓଡ଼ିଶାର ଖରିଫ ଋତୁ ପାଇଁ ଧାନ କ୍ରୟ ଆରମ୍ଭ ହେବ। ଚଳିତ ଖରିଫ ଋତୁ ଧାନ କିଣାକୁ ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଧାନ କିଣା ହେବାର 7ଦିନ ପୂର୍ବରୁ ଚାଷୀଙ୍କ ପାଇଁ ଟୋକନ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ତେବେ ଏହି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସମ୍ବଲପୁର ଜିଲ୍ଲା ଚାଷୀ। ଏହି ଟୋକନ ବ୍ୟବସ୍ଥାରେ କୌଣସି ନୂତନତା ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଚାଷୀ ।
ଏହି ଟୋକନ ବ୍ୟବସ୍ଥା ଅନୁଯାୟୀ କେଉଁ ଦିନ କେଉଁ ଚାଷୀ ଧାନ ବିକ୍ରି କରିବ, ସେ ନେଇ ନୋଟିସ ଲଗାଯିବ। ଏହାସହ ଧାନ ବିକ୍ରି କରାଯିବାକୁ ନେଇ ଚାଷୀଙ୍କ ମୋବାଇଲକୁ ମେସେଜ ପଠାଇବାକୁ ବ୍ୟବସ୍ଥା ହୋଇଛି। ଟୋକନ ବ୍ୟବସ୍ଥା ଆହୁରି ସରଳୀକରଣ କରାଯିବା ଉଚିତ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା ଚାଷୀ। କେଉଁ ଜିଲ୍ଲାରେ ଏକର ପ୍ରତି ଜଣେ ଚାଷୀ କେତେ ପରିମାଣ ଧାନ ବିକ୍ରି କରିପାରିବ ତାହାର ନିଷ୍ପତ୍ତି ଜିଲ୍ଲା ପ୍ରଶାସନକୁ ଦେବାକୁ ଦାବି କରିଛନ୍ତି ସମ୍ବଲପୁର ଜିଲ୍ଲା ଚାଷୀ। ରାଜ୍ୟସ୍ତରରେ ଏହାର ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ଚାଷୀ।
ପ୍ରତ୍ୟେକ ଜିଲ୍ଲାର ମୃତ୍ତିକାର ଭିନ୍ନ ଭିନ୍ନ ଉତ୍ପାଦନ କ୍ଷମତା ରହିଛି। ତେଣୁ ପ୍ରତ୍ୟେକ ଜିଲ୍ଲାରେ ଧାନ ଉତ୍ପାଦନ କ୍ଷମତା ଅନୁଯାୟୀ ଏକର ପିଛା ଧାନ ସଂଗ୍ରହ କରାଯିବା ଆବଶ୍ୟକ। ଏହାଦ୍ବାରା ହିଁ ଟୋକେନ ବ୍ୟବସ୍ଥାର ସଫଳ ରୂପାୟନ ହୋଇପାରିବ ବୋଲି ଚାଷୀମାନେ କହିଛନ୍ତି। ଏ ଦିଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେବା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ଚାଷୀ ।
![ଟୋକାନ ବ୍ୟବସ୍ଥା ନେଇ ନାଖୁସ ସମ୍ବଲପୁର ଜିଲ୍ଲା ଚାଷୀ](https://etvbharatimages.akamaized.net/etvbharat/prod-images/od-sam-04-farmers-reaction-on-tokan-system-avb-7202776_29102020201855_2910f_03430_1015.jpg)
ଗତବର୍ଷଠାରୁ ରାଜ୍ୟରେ ଧାନ ସଂଗ୍ରହ ପାଇଁ ଟୋକନ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ବ୍ୟବସ୍ଥାକୁ ନେଇ ଗତ ବର୍ଷ ଚାଷୀମାନେ ତୀବ୍ର ଆନ୍ଦୋଳନ କରିଥିଲେ। ଏହାପରେ ଟୋକନ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ପରେ ଚାଷୀମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଟୋକନ ବ୍ୟବସ୍ଥାକୁ ନେଇ ବ୍ୟାପକ ଅଶାନ୍ତି ଦେଖାଦେଇଥିଲା।
![ଟୋକାନ ବ୍ୟବସ୍ଥା ନେଇ ନାଖୁସ ସମ୍ବଲପୁର ଜିଲ୍ଲା ଚାଷୀ](https://etvbharatimages.akamaized.net/etvbharat/prod-images/od-sam-04-farmers-reaction-on-tokan-system-avb-7202776_29102020201855_2910f_03430_877.jpg)
ସମ୍ବଲପୁରରୁ ବାଦଶାହା ଜୁଶ୍ମନ ରାଣା, ଇଟିଭି ଭାରତ