ସମ୍ବଲପୁର : ବୁଲା ଗାଈଗୋରୁଙ୍କ ଯତ୍ନ ନେବାକୁ ଅଣ୍ଟା ଭିଡ଼ିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ବିଭିନ୍ନ ସମୟରେ ସହରରେ ବୁଲା ଗାଈଗୋରୁ ଏଣେ ତେଣେ ଅସହାୟ ଅବସ୍ଥାରେ ବୁଲୁଥିବାବେଳେ ଏମାନଙ୍କ ଯୋଗୁଁ ବିଭିନ୍ନ ସମୟରେ ଯାତାୟାତରେ ଅସୁବିଧା ହେବା ସହ ଦୁର୍ଘଟଣା ହୋଇଥାଏ। ଏହାସହ ଗାଈଗୋରୁ ମଧ୍ୟ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହୁଅନ୍ତି ।
ଏହାକୁ ଦୃଷ୍ଟିରେ ରଖି ଆଜି(ଗୁରୁବାର) ଜିଲ୍ଲା ପ୍ରଶାସନ ପକ୍ଷରୁ 2 ଟି ଗୋଶାଳା ସହ ଜିଲ୍ଲା ପ୍ରଶାସନ କରିଛି ଚୁକ୍ତିନାମା। ବୁଲା ଗାଈଗୋରୁଙ୍କ ଯତ୍ନ ସହ ସେମାନଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ ଏହି ଗୋଶାଳା ।
ଏହାବି ପଢନ୍ତୁ : Fake Doctor: ରିମାଣ୍ଡରେ ଆସିବ ନକଲି ଡାକ୍ତର, SDJM କୋର୍ଟରେ ପୋଲିସର ଆବେଦନ
ବୁଲା ଗାଈଗୋରୁଙ୍କୁ ସମ୍ବଲପୁରର ହରିଓଁ ଗୋଶାଳା ଓ ଶ୍ରୀକୃଷ୍ଣ ଗୋଶାଳାଙ୍କୁ ହସ୍ତାନ୍ତର କରାଯିବ । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମ୍ମିଳନୀ କକ୍ଷରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି 2 ଗୋଶାଳା ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହାସହ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ପାଇଁ ଏହି ଗୋଶାଳା ଗୁଡିକୁ ଆର୍ଥିକ ସହାୟତା ସ୍ୱରୂପ ଚେକ ପ୍ରଦାନ କରାଯାଇଛି। ହରିଓଁ ଗୋଶାଳାକୁ 24 ଲକ୍ଷ ଓ ଶ୍ରୀକୃଷ୍ଣ ଗୋଶାଳାକୁ 12 ଲକ୍ଷ 10 ହଜାର ଟଙ୍କାର ପ୍ରୋତ୍ସାହନ ରାଶିର ଚେକ ପ୍ରଦାନ କରାଯାଇଛି। ସରକାରଙ୍କ ଏହି ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଏହି ଗୋଶାଳା ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ