ସମ୍ବଲପୁର: ଗୁରୁବାର ଠାରୁ ସମ୍ବଲପୁରରେ ଆରମ୍ଭ ହୋଇଛି 3 ଦିନିଆ ଆଇନଜୀବୀ ଆନ୍ଦୋଳନ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଡ଼ାକରାରେ ପ୍ରତ୍ୟେକ ମାସ ଶେଷ 3 କାର୍ଯ୍ୟ ଦିବସରେ ଜିଲ୍ଲାରେ ଆନ୍ଦୋଳନ ହୋଇଆସୁଛି ।
ଏହି କ୍ରମରେ ଆଜିଠୁ ସମ୍ବଲପୁର ଓକିଲ ସଂଘ ତରଫରୁ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି । ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଦସ୍ୟ ସହ ବରିଷ୍ଠ ନାଗରିକ ତଥା ବିଭିନ୍ନ ବର୍ଗର ଲୋକେ କଚେରୀ ଛକରେ ଧାରଣାରେ ବସିବା ସହ ପିକେଟିଂ କରିଥିଲେ। ଆନ୍ଦୋଳନକାରୀ ମାନେ କୋର୍ଟର ବିଚାରପତିଙ୍କୁ ମଧ୍ୟ ଅଟକାଇ କୋର୍ଟ ଯିବାରୁ ବାରଣ କରିଥିଲେ।
ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଆଜି କୋର୍ଟ କଚେରୀ, ସରକାରୀ ବେସରକାରୀ ଅଫିସ, ବୀମା, ବ୍ୟାଙ୍କ ଅଫିସ ସବୁ ବନ୍ଦ ରହିଛି । ଆନ୍ଦୋଳନକାରୀ ମାନେ ସମ୍ବଲପୁର ଆରଡିସି, ଜିଲ୍ଳାପାଳ, ଉପଜିଲ୍ଲାପାଳ, ଆରଟିଓ ଅଫିସ ସହ ପ୍ରମୁଖ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ନେଇ ସରକାରଙ୍କ ନିଷ୍କ୍ରିୟତା ପାଇଁ ଅଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସୂଚନା ଦିଆଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ