ସମ୍ବଲପୁର: କେବଳ ଉପକୂଳରେ ନୁହେଁ ପଶ୍ଚିମ ଓଡ଼ିଶାରେ ମଧ୍ୟ ରଜ ମଉଜ । ପାରମ୍ପରିକ ରଜ ମହୋତ୍ସବକୁ ବେଶ ଧୁମଧାମରେ ପାଳନ କରୁଛନ୍ତି ସମ୍ବଲପୁରବାସୀ । ସରକାରଙ୍କ ତରଫରୁ ପାନ୍ଥନିବାସ ପରିସରରେ ବଡ଼ ହର୍ଷୋଉଲ୍ଲାସର ସହ ପାଳନ ହୋଇଛି ରଜ ମହୋତ୍ସବ ଓ ଲୋକକଳା ଦିବସ ।
ବନସ୍ତେ ଡାକିଲା ରଜ, ବରଷକେ ଥରେ ଆସିଛି ରଜ । ସରିଛି ପହିଲି ରଜ । ଆଜି ରଜ ସଂକ୍ରାନ୍ତି । ଗାଁରୁ ପଲ୍ଲୀ ସବୁଠି ରଜ ପିଠା ସାଙ୍ଗକୁ ମହକୁଛି ଖିଲି ପାନ । ଏପରି ତିନି ଦିନ ଧରି ରାଜ୍ୟରେ ପାଳନ ହୋଇଥାଏ ରଜ ମହୋତ୍ସବ । ଆଜି ବି ଝିଅ ବୋହୂମାନେ ସଜବାଜ ହୋଇ ଦୋଳି ଖେଳିବେ । ତେବେ ଓଡ଼ିଶାର ଗଣପର୍ବ କୁହାଯାଉଥିବା ଏହି ପର୍ବ ମୁଖ୍ୟତଃ ଉପକୂଳ ଓଡିଶାରେ ପାଳନ ହୋଇଥାଏ । ତେଣୁ ରଜର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ପାନ୍ଥନିବାସରେ ଆୟୋଜିତ ହୋଇଥିଲା ରଜ ମହୋତ୍ସବ ।
ପହିଲି ରଜ ଅର୍ଥାତ ଗତକାଲି ସନ୍ଧ୍ୟାରେ ପାନ୍ଥନିବାସରେ ରଜ ମହୋତ୍ସବ ଆୟୋଜନ ହେଇଥିବା ବେଳେ ପାରମ୍ପରିକ ପିଠାପଣା ସହ ରଜ ଦୋଳିର ବ୍ୟବସ୍ଥା କରାଯାଇଥିଲା । ଆଉ ସେଥିପାଇଁ ସାଧାରଣ ଲୋକଙ୍କ ସମାଗମ ଦେଖିବାକୁ ମଧ୍ୟ ମିଳିଥିଲା । କେବଳ ରଜ ମହୋତ୍ସବ ନୁହେଁ ଲୋକ ନୃତ୍ୟ ଗୀତର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା ଏହି କାର୍ଯ୍ୟକ୍ରମରେ ।
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ