ସମ୍ବଲପୁର: ଆସନ୍ତା 22 ତାରିଖରେ ସମ୍ବଲପୁର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଝାରସୁଗୁଡା ରାସ୍ତା ଶାସନ ନିକଟସ୍ଥ ପ୍ରଧାନପାଲି ସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ବରୀୟ ବିଦ୍ୟାଳୟର ପାବନ ସରୋବର ଆଶ୍ରମ ପରିସରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ପୂର୍ବାହ୍ନ 9 ଟାରୁ 10 ଟା ଯାଏଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ଅବସରରେ ଜାତୀୟସ୍ତର ନୂଆ ଭାରତ ପାଇଁ ନୂଆ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ରାଷ୍ଟ୍ରପତି l ନୂଆ ଭାରତ ପାଇଁ ନୂଆ ଶିକ୍ଷା କାର୍ଯ୍ୟକ୍ରମ ଏକ ଜାତୀୟସ୍ତର କାର୍ଯ୍ୟକ୍ରମ ହୋଇଥିବା ବେଳେ ରାଷ୍ଟ୍ରପତି ଏହାକୁ ସମ୍ବଲପୁରରୁ ଶୁଭାରମ୍ଭ କରିବେ ।
ଏହି କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟପାଳଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଯୋଗେ ଦେବେ । ଏହା ସହ ପଶ୍ଚିମ ଓଡିଶାର 9 ଟି ଜିଲ୍ଲାର ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ବରୀୟ ବିଦ୍ୟାଳୟର ପ୍ରାୟ 4000 ସଦସ୍ୟ ଯୋଗ ଦେବେ । ନୈତିକ ଶିକ୍ଷାର ପତନ ହେଉଥିବା ବେଳେ ବର୍ତ୍ତମାନ ଆଧ୍ୟାତ୍ମିକ ଶିକ୍ଷାର ଗୁରୁତ୍ୱ ଉପରେ ଆଧାରିତ ବୋଲି ସୂଚନା ଦିଆଯାଇଛି l
ଅଧିକ ପଢନ୍ତୁ- President To Visit Odisha: ୨୦ରୁ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି ମୁର୍ମୁ
ଏଠାରେ ରାଷ୍ଟ୍ରପତିଙ୍କ ଦ୍ବାରା ବ୍ରହ୍ମକୁମାରୀ ଶିକ୍ଷା ପ୍ରଭା ଦ୍ଵାରା ଆୟୋଜିତ "ନୂଆ ଭାରତ ପାଇଁ ନୂଆ ଶିକ୍ଷା ରାଷ୍ଟ୍ରୀୟ ଅଭିଯାନ"ର ଶୁଭାରମ୍ଭ ହେବ । ଏଠାରେ ପଶ୍ଚିମ ଓଡ଼ିଶାରୁ ପ୍ରାୟ 4 ହଜାର ଲୋକଙ୍କ ସମାଗମ ହେବ । ଏଠାରେ ଯେଉଁ ବ୍ୟକ୍ତି ମାନେ ଯୋଗ ଦେବାକୁ ଚାହିଁବେ ଆସନ୍ତା 15-11-2023 ତାରିଖ ସୁଦ୍ଧା ବ୍ରହ୍ମାକୁମାରୀ ସମ୍ବଲପୁରଙ୍କ ସହାୟତାରେ ପଞ୍ଜିକରଣ କରି ପାରିବେ । କାର୍ଯ୍ୟକ୍ରମ ଦିନ ସକାଳ୭ଟା ସୁଦ୍ଧା ଲୋକଙ୍କୁ ଉଦ୍ଧିଷ୍ଟ ସ୍ଥାନକୁ ପହଞ୍ଚିବାକୁ ପଡିବ । ଏହା ସହ ସାଥୀରେ ଏଣ୍ଟ୍ରିକାର୍ଡ ଓ ଆଧାର କାର୍ଡ ଧରିବା ଅତ୍ୟନ୍ତ ଜରୁରୀ। ସାଙ୍ଗରେ ବ୍ୟାଗ୍, ପାଣି ବୋତଲ ତଥା ମୋବାଇଲ୍ ଫୋନ୍ ନେବା କୁ ବାରଣ କରାଯାଇଛି l ଏହା ସହ ବାଇକ୍, କାର, ବସ୍ ପ୍ରଭୃତିର ପାର୍କିଂ ପାଇଁ ସୁ-ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀର ଶିକ୍ଷାପ୍ରଭାଗ ଅଧ୍ୟକ୍ଷ ବ୍ରହ୍ମାକୁମାର ଡକ୍ଟର ମୃତ୍ୟୁଞ୍ଜୟ ଓ ଉପାଧକ୍ଷା ବ୍ରହ୍ମାକୁମାରୀ ରାଜଯୋଗିନୀ ସିଲୁ ଯୋଗ ଦେବେ।
ଇଟିଭି ଭାରତ, ସମ୍ବଲପୁର