ସମ୍ବଲପୁର : ସମ୍ବଲପୁର ଓ ଆଖପାଖ ଜିଲ୍ଲାରେ ନକଲି ବିଦେଶୀ ମଦ ତିଆରି ରାକେଟ ଠାବ । ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ଓ ଅବକାରୀ ଗୁଇନ୍ଦା ବିଭାଗ ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା ଜିଲ୍ଲାରୁ ଏହି ନକଲି ବିଦେଶୀ ମଦ ରାକେଟ ଠାବ କରିବାସହ ବିପୁଳ ପରିମାଣର ନକଲି ମଦ ଜବତ କରିଛି । ସମ୍ବଲପୁର ସଦର ଅବକାରୀ ବିଭାଗର ଅଧିକାରୀ ଅନ୍ନପୂର୍ଣ୍ଣା ରଥଙ୍କ ନେତୃତ୍ୱରେ ଗତକାଲି ଏକ ବିଶିଷ୍ଟ ସୂତ୍ରରୁ ଖବରପାଇ ସମ୍ବଲପୁର ସହରର ଦେଉଳବନ୍ଧ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା ।
ପ୍ରଥମେ ଏହି ନକଲି ମଦ ତିଆରି ରାକେଟକୁ ଠାବ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ପଚରାଉଚରା ସମୟରେ ଏହାର ଲିଙ୍କ ବରଗଡ଼ ଓ ଝାରସୁଗୁଡା ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିଥିଲା । ଏହାପରେ ଜିଲ୍ଲା ଅବକାରୀ ବିଭାଗ ଓ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବରଗଡ଼ ଓ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ମୋଟ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।
ଏହି ମିଳିତ ନକଲି ବିଦେଶୀ ମଦ ଜବତ ହୋଇଛି । ଏହି ନକଲି ମଦ କୋଲକାତାରୁ ଆସୁଥିବା ଜଣାପଡ଼ିଛି। ନକଲି ମଦ ତିଆରି କରାଯାଇ ମୁଖ୍ୟତଃ ଗ୍ରାମାଞ୍ଚଳରେ ବେଆଇନ ଭାବେ ବିକ୍ରି କରାଯାଉଥିଲା । ମୁଖ୍ୟତଃ ୩ଟି ଅସଲି ମଦ ବୋତଲରେ ପାଣି ମିଶାଇ ଏହାକୁ ୫ ରୁ ୬ ବୋତଲ କରାଯାଉଥିଲା ବୋଲି ସୂଚନା ଦିଆଯାଇଛି । ଏହା ଦ୍ୱାରା ବିପୁଳ ରାଜସ୍ୱ ହାନି ହେଉଥିଲା । ଆଗକୁ ମଧ୍ୟ ଅବକାରୀ ବିଭାଗ ଏମିତି ଚଢ଼ାଉ ଜାରି ରଖିବ ବୋଲି ସୂଚନା ଦିଆଯାଇଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ