ସମ୍ବଲପୁର: ବର୍ଷା ଯୋଗୁଁ ଭାଙ୍ଗି ଯାଇଥିବା ଘରୁ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ସୋମବାର ପ୍ରବଳ ବର୍ଷାରେ ସମ୍ବଲପୁର ହିନ୍ଦିସ୍କୁଲ ପଛପଟେ ନୂଆପଡାରେ ଥିବା ଏକ ମାଟିଘର ଭୁଶୁଡି ଯାଇଥିବା ବେଳେ ଏହା ଭିତରେ ଫସି ଯାଇଥିଲେ ଜଣେ ମହିଳା । ମହିଳା ଜଣଙ୍କ ନାମ ଲକ୍ଷ୍ମୀ ସାହୁ ବୋଲି ଜଣା ପଡିଥିବା ବେଳେ ଘରେ ଶୋଇଥିବା ଅବସ୍ଥାରେ ତାଙ୍କ ଉପରେ ଖପର ଛାତ ପଡି ଯାଇଥିଲା ।
ସମ୍ବଲପୁର ହିନ୍ଦୀ ସ୍କୁଲ ପଛପଟେ ଥିବା ନୂଆଁପଡାରେ ଏକ ମାଟି ଘରେ ଲକ୍ଷ୍ମୀ ସାହୁ ରହୁଥିଲେ । ଗତ 2 ଦିନ ହେଲା ସମ୍ଵଲପୁରରେ ବର୍ଷା ଲାଗିରହିଥିବାରୁ ଘର ଭାଙ୍ଗି ତାଙ୍କ ଉପରେ ଖପର ଛାତ ପଡି ଯାଇଥିଲା ।
ଖବର ପାଇ ଅଗ୍ନିଶମ ଏବଂ ଏନଡିଆରଏଫ ପକ୍ଷରୁ ମହିଳାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବର୍ଷାରେ ଘର ଭାଙ୍ଗି ଯିବା ସହ ଘର ଭିତରେ ଥିବା ସବୁ ଜିନିଷପତ୍ର ନଷ୍ଟ ହୋଇ ଯାଇଛି । ଏପଟେ ମହିଳା ଜଣକ ଏକାକୀ ରହୁଥିବା ବେଳେ ଗୋଳବଜାରରେ ଫୁଲ ବିକି ଗୁଜୁରାଣ ମେଣ୍ଟାଉଥିଲେ । ଏବେ ଘର ଭାଙ୍ଗିଯିବା ପରେ ମହିଳା ଜଣକ ଅସହାୟ ହୋଇପଡିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ