ସମ୍ବଲପୁର: ସମ୍ବଲପୁର-କଟକ ରାଜପଥର ଦୂରାବସ୍ଥା ନେଇ ଆଜି ରେଢ଼ାଖୋଲ ଥାନା ପରିସରରେ ରେଢ଼ାଖୋଲ ନାଗରିକ କମିଟି, NHAI କର୍ତ୍ତୃପକ୍ଷ ଓ ରାସ୍ତା ନିର୍ମାଣ ଓ ମରାମତି କରୁଥିବା ଠିକା ସଂସ୍ଥା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁରରୁ ରେଢ଼ାଖୋଲ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବହୁତ ଖରାପ ଥିବାବେଳେ ଏହାର ନିର୍ମାଣ ଓ ମରାମତି କାର୍ଯ୍ୟ ବହୁତ ଧିମେଇ ଯାଇଥିବାରୁ ଲୋକେ ବହୁତ ହଇରାଣ ହେଉଛନ୍ତି । ଏହାକୁ ଦୃଷ୍ଟିରେରେ ରଖି ରେଢ଼ାଖୋଲ ନାଗରିକ କମିଟି ଗତକାଲି ଉପଜିଲ୍ଲାପାଳଙ୍କୁ ରାଜରାସ୍ତା ଅବରୋଧ ଆନ୍ଦୋଳନ କରିବାକୁ ଅନୁମତି ମାଗିଥିଲା । ତେବେ ଏନେଇ ଆଜି ଜିଲ୍ଲା ପ୍ରଶାସନ ର ଉଦ୍ୟମ ରେ ରେଢ଼ାଖୋଲ ଥାନା ପରିସର ରେ ରେଢ଼ାଖୋଲ ନାଗରିକ କମିଟି,NHAI ଓ ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା ।
ଏହି ବୈଠକରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଆସନ୍ତା 15 ଦିନ ଭିତରେ ରେଢ଼ାଖୋଲରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ନାଗରିକ କମିଟି ରାଜରାସ୍ତା ଅବରୋଧ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଏପରିକି କମିଟି ରାସ୍ତା ନିର୍ମାଣ କାରୀ ସଂସ୍ଥାକୁ 15 ଦିନ ପରିବର୍ତ୍ତେ 1 ମାସର ସମୟ ସୀମା ଦେଇଛି । ଏହି ସମୟ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଲେ ରାଜରାସ୍ତା ଅବରୋଧ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।
ଆଜିର ଏହି ବୈଠକରେ ରେଢ଼ାଖୋଲ ନାଗରିକ କମିଟିର ପ୍ରମୁଖ ସଦସ୍ୟ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, NAC ଅଧ୍ୟକ୍ଷ ଶିବରାମ ସାହୁ, ରେଢ଼ାଖୋଲ ଓକିଲ ସଂଘର ସଭାପତି ଅଭୟ କୁମାର ବିରଙ୍କ ସହ NHAIର ଅଧିକାରୀ ଚନ୍ଦନ କୁମାର ଓ ନିର୍ମାଣ କାରୀ ଠିକା ସଂସ୍ଥାର ଅଧିକାରୀ ଏସକେ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ ।