ସମ୍ବଲପୁର: ସମ୍ବଲପୁର ମହାନଗରକୁ ପୁଣି ଫେରିଛି ଜଣ୍ଡିସ । 2014ରେ ସମ୍ବଲପୁର ସହରରେ ଜଣ୍ଡିସ ମହାମାରୀର ରୂପ ନେଇଥିବା ବେଳେ ଏଥର ଏହା ବୁର୍ଲା ସହରରେ କାୟାବିସ୍ତାର କରିବାରେ ଲାଗିଛି । ଗତ 7ଦିନ ଭିତରେ ବୁର୍ଲାରେ ପାଖାପାଖି 29 ଜଣଙ୍କ ନିକଟରେ ଜଣ୍ଡିସ ଚିହ୍ନଟ ହୋଇଛି । ତେବେ ଏହା ଏବେ ପ୍ରଶାସନର ଚିନ୍ତାର କାରଣ ହୋଇଛି ।
ଗତ 2014 ମସିହାରେ ଜଣ୍ଡିସର ଭୟାବହତା ଦେଖିବାକୁ ମିଳିଥିଲା । ସମ୍ବଲପୁରରେ 50 ଜଣ ଜଣ୍ଡିସ ରୋଗୀଙ୍କର ମୃତ୍ୟୁ ଘଟିଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲା । ସେହିସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଆସି ପାନୀୟ ଜଳଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ 100 କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ । ଏଥିସହ 3ଟି ପ୍ରାକୃତିକ ନାଳର ପୁନରୁଦ୍ଧାର ପାଇଁ 60 କୋଟି ଘୋଷଣା କରିଥିଲେ । ତେବେ ଆଜି ପର୍ଯ୍ୟନ୍ତ ଏହି ଘୋଷଣା, କଥାରେ ସୀମିତ ହୋଇ ରହିଯାଇଛି । ତେଣୁ ସ୍ଥାନୀୟ ଲୋକେ ଜଣ୍ଡିସ ରୋଗ ପାଇଁ ପାନୀୟ ଜଳ ପାଇପର ଶୋଚନୀୟ ଅବସ୍ଥାକୁ ଦାୟୀ କରିଛନ୍ତି ।
ଏପଟେ ସମ୍ବଲପୁର ଏଡିଏମଓ ଲୋକଙ୍କୁ ତୁଚ୍ଛା ଆଶ୍ୱାସନା ଦେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କରାଉଥିବାର କହିଛନ୍ତି । ସେପଟେ ବୁର୍ଲା ସହରରେ ଆଖୁ ରସ, ଦୋକାନ, ଗୁପଚୁପ ଦୋକାନ ଉପରେ ରୋକ ଲଗାଯାଇଥିବା ବେଳେ ଫଟାପାଇପ ଦେଇ ଯାଉଥିବା ପାନୀୟ ଜଳ ବ୍ୟବସ୍ଥାକୁ ମଧ୍ୟ ସାମୟିକ ଭାବେ ବନ୍ଦ କରାଯାଇଛି ।
ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଯଦି କୌଣସି ସୁଧାର ନ ଆସେ, ତେବେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ସ୍ଥାନୀୟବାସୀ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ