ସମ୍ବଲପୁର: ନାବାଳିକାକୁ ଅପହରଣ କରି ନିଜ ଘରେ ଲୁଚାଇ ରଖିଥିଲା ପଡୋଶୀ । ଆଖପାଖ ସାହି ପଡିଶା ଲୋକଙ୍କ ଉଦ୍ୟମରେ ପଡ଼ୋଶୀ ଘରୁ ନାବାଳିକାକୁ ଉଦ୍ଧାର କରାଯାଇଛି । ସେପଟେ ଅଭିଯୁକ୍ତକୁ ଗିରଫ ଦାବିରେ ପରିବାର ତଥା ଆଖପାଖ ଲୋକେ ଧନୁପାଲି ଥାନା ଘେରାଉ କରିଥିଲେ । ବର୍ତ୍ତମାନ ଅଭିଯୁକ୍ତକୁ ଅଟକ ରଖିବା ସହ ଚାଇଲ୍ଡ ଲାଇନ ସଦସ୍ୟଙ୍କ ସହାୟତାରେ ନାବାଳିକାକୁ ପଚରାଉଚରା ଜାରି ରହିଥିବା ପୋଲିସ ସୂଚନା ଦେଇଛି ।
ସୂଚନା ଅନୁସାରେ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ NSCB କଲେଜ ନିକଟ ପିଲାକନ୍ଦେଇପଡାରୁ ଜଣେ ୭ ବର୍ଷୀୟା ନାବାଳିକାକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଅପହରଣ କରି ନେଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ନାବାଳିକା ସନ୍ଧ୍ୟାରେ ଟ୍ୟୁସନରୁ ଫେରିବା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଉଠାଇ ନେଇ ନିଜ ଘରେ ମୁହଁରେ ପଟି ବାନ୍ଧି ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା । ଏହା ଜଣାପଡ଼ିବା ପରେ କିଛି ସ୍ଥାନୀୟ ଲୋକେ ନାବାଳିକାକୁ ଉଦ୍ଧାର କରିଥିଲେ । ତେବେ ଅଭିଯୁକ୍ତ ଯୁବକ ସେଠାରୁ ଫେରାର ହୋଇଯାଇଥିଲା ।
ଏନେଇ ଅଭିଯୁକ୍ତକୁ ଗିରଫ କରିବା ଦାବି ନେଇ ସୋମବାର ପରିବାର ଲୋକେ ଥାନା ଘେରାଉ କରିଥିଲେ । ଏହାପରେ ଅଭିଯୁକ୍ତ ଯୁବକକୁ ଅଟକ ରଖାଯାଇଥିବା ପୋଲିସ ସୂଚନା ଦେଇଛି । ଅନ୍ୟପଟେ ଆଜି ପୋଲିସ ନାବାଳିକାକୁ ଥାନାକୁ ନେଇ ଚାଇଲ୍ଡ ଲାଇନ ସଦସ୍ୟଙ୍କ ସହାୟତାରେ ପଚରାଉଚରା କରୁଛି ବୋଲି ପୋଲିସ ସୂଚନା ଦେଇଛି ।
ଇଟିଭି ଭାରତ, ସମ୍ବଲପୁର