ସମ୍ବଲପୁର: ଜିଲ୍ଲା ସହ ଝାରସୁଗୁଡା ସୀମାରେ ଥିବା ତଲାବିରା 2 ଓ 3 କୋଇଲା ଖଣିରେ ନେଭେଲି ଲିଗନାଇଟ କର୍ପୋରେସନ ବା NLC କମ୍ପାନୀ କୋଇଲା ଖନନ ଆରମ୍ଭ କରିବା କରିବା ଦିନଠୁ ସ୍ଥାନୀୟ ପ୍ରଭାବିତ ଲୋକଙ୍କ ଥଇଥାନ ଓ ନିଯୁକ୍ତି ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । 34 ବର୍ଷ ପାଇଁ କୋଇଲା ଖନନ କରିବାର ଅନୁମତି ପାଇଥିବା କମ୍ପାନୀ ନିଜର ପ୍ରତିଶୃତି ମୁତାବକ ସ୍ଥାନୀୟ ନିଯୁକ୍ତି ଦେଉନଥିବାବେଳେ କିନ୍ତୁ ଜିଲ୍ଲା ପ୍ରଶାସନ କମ୍ପାନୀକୁ ପ୍ରୋତ୍ସାହନ ଦେଇ ଆସୁଥିବା ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ ସ୍ଥାନୀୟ ପ୍ରଭାବିତ ଲୋକଙ୍କୁ କମ୍ପାନୀ ନିଯୁକ୍ତି ଦେଉନଥିବା ଅଭିଯୋଗ କରି ବିଭିନ୍ନ ସଂଗଠନ ପକ୍ଷରୁ ଅଗଷ୍ଟ 10ରୁ କମ୍ପାନୀ ବିରୁଦ୍ଧରେ ଧାରଣା ଓ ଆନ୍ଦୋଳନ ଆରମ୍ଭ ହୋଇଛି ।
ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର 8ଟି ଗାଁର 1914.063 ହେକ୍ଟର ଜମିରେ 554 ମିଲିୟନ ଟନ କୋଇଲା ଉତ୍ତୋଳନ ପାଇଁ କମ୍ପାନୀକୁ ଅନୁମତି ମିଳିଛି । ଏଠାରେ ଦୈନିକ 29ମିଲିୟନ ଟନ କୋଇଲା ଉତ୍ତୋଳନ ହେବାକୁ ଥିବାବେଳେ ଝାରସୁଗୁଡାର 3200 ମେଗାୱାଟ ଥର୍ମାଲ ପାୱାର ଓ ତାମିଲନାଡୁର ଟୁଟିକୋରିନର 1000 ମେଗାୱାଟ ଥର୍ମାଲ ପାୱାର ପ୍ରୋଜେକ୍ଟ ପାଇଁ ଏଠାରେ କୋଇଲା ଉତ୍ତୋଳନ କରାଯିବ । ତେବେ ସବୁଠାରୁ ବଡ଼ କଥା ହେଲା ଏଠାରେ ଏତେବଡ଼ ପ୍ରକଳ୍ପ ହେବା ପରେ ମଧ୍ୟ ସ୍ଥାନୀୟ ଲୋକ ନିଯୁକ୍ତି ନେଇ ଚିନ୍ତାରେ ପଡିଛନ୍ତି । କାରଣ ଏହି ପ୍ରକଳ୍ପ ଦ୍ବାରା ସମ୍ବଲପୁର ଜିଲ୍ଲାର ମୋଟ 17700 ଗଛ କଟିଥିବାବେଳେ କମ୍ପାନୀକୁ 2300 ହେକ୍ଟର ଜମିରେ ବୃକ୍ଷ ରୋପଣ ପାଇଁ ନିର୍ଦ୍ଦେଶ ରହିଛି । ତେବେ ବର୍ତ୍ତମାନ ଏହି ଜଙ୍ଗଲ ଓ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ଉପରେ ଏହାର ପ୍ରଭାବ ପଡିଛି ।
ପୂର୍ବରୁ କମ୍ପାନୀ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ପ୍ରାଥମିକତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବର୍ତ୍ତମାନ ଏଥିରୁ କମ୍ପାନୀ ବିଚ୍ୟୁତ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଏହି ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି । ବିଗତ 1 ମାସ ହେଲା ସ୍ଥାନୀୟ ଲୋକେ ଆନ୍ଦୋଳନରେ ବସିଛନ୍ତି । ଏହାସହ କମ୍ପାନୀ ଲୋକଙ୍କ ଜମିର ସଠିକ ମୂଲ୍ୟାୟନ କରୁନଥିବା ମଧ୍ୟ ଅଭିଯୋଗ ହୋଇଛି।
ସେପଟେ ଆନ୍ଦୋଳନକୁ ଉଭୟ ବିଜେଡି ଓ ବିଜେପିର ସମର୍ଥନ ରହିଛି। ସମ୍ବଲପୁରର ଯୁବ ବିଜେଡି ନେତା ଦେବେନ୍ଦ୍ର କିଶୋର ପତି ଏହି ଆନ୍ଦୋଳନକୁ ସମର୍ଥନ କରୁଥିବାବେଳେ ସ୍ଥାନୀୟ ବିଜେପି ବିଧାୟକ ନାଉରୀ ନାଏକ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। କମ୍ପାନୀ ପୂର୍ବରୁ ସ୍ଥାନୀୟ ନିଯୁକ୍ତି ନେଇ ଦାୟିତ୍ବ ନେଇଥିବାବେଳେ ବର୍ତ୍ତମାନ ଏଥିରେ ସେ ଖିଲାପି କରୁଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ସ୍ଥାନୀୟ ନିଯୁକ୍ତି ପାଇଁ କମ୍ପାନୀ ଏଠାରେ ତାଲିମ କେନ୍ଦ୍ର ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କମ୍ପାନୀ ତାହା ଭୁଲି ଯାଇଛି ବୋଲି ବିଧାୟକ ନାଉରୀ ନାଏକ କହିଛନ୍ତି। ତେଣୁ ଶୀଘ୍ର RPDAC ବୈଠକ ଡାକିବାକୁ ସେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବା ସହ ଏହି ଘଟଣାରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ହସ୍ତକ୍ଷେପ କରନ୍ତୁ ବୋଲି ଚିଠି ଲେଖିଥିବା କହିଛନ୍ତି ।
ସେପଟେ କମ୍ପାନୀ କହିଛି ଯେ ପୂର୍ବରୁ RPDAC ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ନିଯୁକ୍ତି ଦେବା ସହ ପ୍ରଭାବିତ ଲୋକଙ୍କୁ 34 ବର୍ଷ ପାଇଁ ଏନୁଇଟି(annuity) ଦେଉଛି। ଏହାସହ ଯୋଗ୍ୟତା ଅନୁସାରେ 130 ଜଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି କମ୍ପାନୀ କତ୍ତୃପକ୍ଷ ସୂଚନା ଦେଇଛନ୍ତି। କିନ୍ତୁ ଜୀବନ ଜୀବିକା ହରାଇଥିବା ସ୍ଥାନୀୟ ବାସିନ୍ଦା ତାଙ୍କୁ ଉପଯୁକ୍ତ ପ୍ରାପ୍ୟ ଯଥାଶୀଘ୍ର ମିଳୁ ବୋଲି ଦାବି କରିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ