ବଲାଙ୍ଗୀର: 'ମନ କି ବାତ୍' କାର୍ଯ୍ୟକ୍ରମରେ ସମ୍ବଲପୁରର ଇଶାକ ମୁଣ୍ଡାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଖବର ଜାଣିବା ପରେ ବେଶ୍ ଖୁସି ହୋଇଛନ୍ତି ୟୁଟ୍ୟୁବର ଇଶାକ । କୁଲି ମଜୁରୀ କରି ପେଟ ପୋଷୁଥିବା ସମ୍ବଲପୁର ଏହି ଆଦିବାସୀ ଯୁବକ ଏବେ ୟୁଟ୍ୟୁବରୁ ଲକ୍ଷାଧିକ ଟଙ୍କା ରୋଜଗାର କରି ପାରୁଛନ୍ତି । ଏନେଇ ପିଏମ ମୋଦି ନିଜ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଇଶାକଙ୍କ ପଦକ୍ଷେପ ଅତୁଳନୀୟ ବୋଲି କହିବା ସହ ଖୁବ୍ ପ୍ରଶଂସା କରିଛନ୍ତି । ମୋଦିଙ୍କ ପ୍ରଶଂସା ପରେ ଇଶାକଙ୍କ ପାଇଁ ସାରା ସମ୍ବଲପୁର ଜିଲ୍ଲା ଗର୍ବ କରୁଛି ।
ନିଜର ୟୁଟ୍ୟୁବ ଚ୍ୟାନେଲରେ ଇଶାକ ଆଦିବାସୀ ଖାଇବା, ରନ୍ଧନ ଶୈଳୀ, ରହଣୀ, ଜଙ୍ଗଲୀ ଛତୁ, ପଖାଳ ଏବଂ ନିଜ ପରିବାରର କେତେକ ମୁହୂର୍ତ୍ତର ଭିଡିଓ ସେୟାର କରି ଲୋକପ୍ରିୟ ହୋଇଛନ୍ତି । ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ଏବେ ଇଶାକଙ୍କ ଗାଁ ଯୁଯୁମୁରା ବ୍ଲକ ବାବୁପାଲିରେ ଖୁସିର ଲହରୀ ଖେଳି ଯାଇଛି । ଉପାନ୍ତ ଅଞ୍ଚଳର ଗାଁର ଏହି ଯୁବକ ଇଣ୍ଟରନେଟର ସୁବ୍ୟବହାର କରି ଆଜି ଲକ୍ଷାଧିକ ଟଙ୍କା ରୋଜଗାର କରି ନିଜ ଆର୍ଥିକ ସ୍ଥିତିକୁ ସୁଧାରି ପାରିଛନ୍ତି ।
ଇଶାକଙ୍କ ଶିକ୍ଷାଗତ ଯୋଗ୍ୟତା ସପ୍ତମ ଶ୍ରେଣୀ ହୋଇଥିଲେ ମଧ୍ୟ ସେ ଇଣ୍ଟରନେଟ ମାଧ୍ୟମରେ ଦେଶ ବିଦେଶରେ ପରିଚିତ ହୋଇପାରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ତାଙ୍କ ପ୍ରସଂଶା ଶୁଣି ସେ ଓ ତାଙ୍କ ପରିବାର ବହୁତ ଖୁସି ବୋଲି କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ