ସମ୍ବଲପୁର: ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ । ନା ବୁଦ୍ଧିରେ ନା ବଳରେ କୌଣସି ଗୁଣରେ ପୁରୁଷଙ୍କ ଠାରୁ କମ ନୁହେଁ । ଏଭଳି ଉକ୍ତିକୁ ପ୍ରମାଣିତ କରିଛନ୍ତି ସମ୍ୱଲପୁର ଧନୁପାଲି ଅଞ୍ଚଳର ଶାନ୍ତିଲତା ଘଡେଇ । 45 ବର୍ଷୀୟା ନିଜ ଉଦ୍ୟମ ଓ କଠିନ ପରିଶ୍ରମ ବଳରେ ନାରୀ ସଶକ୍ତିକରଣ ଏକ ବଳିଷ୍ଠ ଉଦାହରଣ ପାଲଟିଛନ୍ତି । ସମ୍ବଲପୁର ସହରର ଧନୁପାଲି ଛକରୁ କଟକ ଆଡକୁ ଯିବା ରାସ୍ତାରେ ଭତରା ଗାଁ ପୂର୍ବରୁ ପଡିଥାଏ ଶାନ୍ତିଲତାଙ୍କ ଟାୟାର ମରାମତି ଦୋକାନ ଓ ୱାଟର ସର୍ଭିସିଂ ସେଣ୍ଟର । ସକାଳ 7 ରୁ ରାତି 7 ଟା ପର୍ଯ୍ୟନ୍ତ ଏହି ଦୋକାନରେ ଲାଗିଥାଏ ଭିଡ଼ l କିଏ ନିଜର ଟାୟାର ପମ୍ପଚର ହୋଇଥିଲେ ମରାମତି ପାଇଁ ଆସେ ତ କିଏ ପ୍ରେସର ଚେକିଂ ପାଇଁ ଆସନ୍ତି l ତେବେ ସବୁଠାରୁ ବଡ଼ କଥା ହେଲା ଏହି ମହିଳା ଜଣକ ନିଜେ ପମ୍ପଚର ଟାୟାର ସଜଡା ହେଉକି ପ୍ରେସର ଚେକିଂ ହେଉ ସବୁ କାମଲ ଅତି ସହଜରେ କରିଦେଇଥାନ୍ତି । ହାତରେ ଶଙ୍ଖା ପିନ୍ଧି ହାତୁଡି ଧରି ପୁରୁଷଙ୍କ ଭଳି କାମ କରନ୍ତି ଶାନ୍ତିଲତା ।
ଅନ୍ୟପଟେ ଶାନ୍ତିଲତାଙ୍କ ଏହି ଗାଡି ସର୍ଭିସିଂ ସେଣ୍ଟର ପଛରେ ରହିଛି ଏକ ସଂଘର୍ଷମୟ କାହାଣୀ । 2012 ମସିହାରେ ସ୍ବାମୀଙ୍କ ଚାକିରି ଯିବା ପରେ ପରିବାରର ପ୍ରତିପୋଷଣ ପାଇଁ ଗାଡି ସର୍ଭିସିଂ ବୃତ୍ତିକୁ ବାଛିଥିଲେ ଶାନ୍ତିଲତା । ଏକ ଛୋଟ ଦୋକାନ ଖୋଲି ଆରମ୍ଭ କରିଥିଲେ କାମ । ଏହି ଦୋକାନରୁ ଅର୍ଜିତ ଟଙ୍କାରେ ସେ ନିଜ 3 ପୁଅକୁ ଉଚ୍ଚ ଶିକ୍ଷିତ କରାଇପାରିଛନ୍ତି । ବର୍ତ୍ତମାନ ସେ ନିଜର ବଡ଼ ପୁଅଙ୍କୁ ବିକମ, ମଝିଆ ପୁଅକୁ ଇଞ୍ଜିନିୟରିଙ୍ଗ ଓ ସାନ ପୁଅକୁ ମେଡିକାଲ କୋଚିଂ କରାଉଛନ୍ତି l ଆଉ ମଧ୍ୟ କିଛି ଯୁବକଙ୍କୁ ଦୋକାନରେ କାମ ଦେଇ ରୋଜଗାରର ବାଟ ଦେଖାଇଛନ୍ତି ।
ଏହାମଧ୍ୟ ପଢନ୍ତୁ..ହାରିନାହାନ୍ତି ସରିତା: ରାକ୍ଷୀ ତିଆରି କରି ସ୍ବାବଲମ୍ବୀ, ପାଲଟିଛନ୍ତି ଉଦାହରଣ
ସ୍ଥାନୀୟ ଲୋକମାନେ ଶାନ୍ତିଲତାଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ବେଶ ପ୍ରଂଶସା କରିଛନ୍ତି । ଶାନ୍ତିଲତା ନାରୀ ସଶକ୍ତିକରଣର ଏକ ଦୃଢ ପ୍ରମାଣ ବୋଲି ସ୍ଥାନୀୟଲୋକମାନେ କହିଛନ୍ତି । ତେବେ ପ୍ରତିକୂଳ ପରିସ୍ଥିତିରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ମଣିଷ ନିଶ୍ଚୟ ସଫଳତା ପାଇଥାଏ । ଏହି ଉକ୍ତିକୁ ପ୍ରମାଣିତ କରିପାରିଛନ୍ତି ଶାନ୍ତିଲତା । ଆଉ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରରଣାର ଉତ୍ସ।
ଇଟିଭି ଭାରତ, ସମ୍ବଲପୁର