ସମ୍ବଲପୁର: ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ବେଆଇନ କଫ ସିରପ ଜବତ କଲା ପୋଲିସ । ଜଙ୍ଗଲ ଭିତରେ ବିକ୍ରି ଚାଲୁଥିବାବେଳେ ଠେଲୋକୋଲାଇ ଥାନାର ସ୍ବତନ୍ତ୍ର ଟିମ ଚଢ଼ାଉ କରି କଫ ସିରପ ଜବତ କରିଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସମ୍ବଲପୁର ଜିଲ୍ଲା ଠେଲୋକୋଲୋଇ ପୋଲିସର ଏକ ଟିମ ଖିଣ୍ଡା ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ବିଶିଷ୍ଟ ସୂତ୍ରରୁ ସୂଚନା ପାଇ ନିକଟସ୍ଥ ଖିଣ୍ଡା ଜଙ୍ଗଲରେ ଚଢ଼ାଉ କରିଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ସିକ୍ରେଟ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ବିଭାଗ
ଚଢ଼ାଉ ସମୟରେ ରାମ ଦାସ ଓ ମହମ୍ମଦ ଆଲ୍ଲାଉଦ୍ଦିନ ନାମକ 2 ଜଣ ବ୍ୟକ୍ତି କଫ ସିରଫ ବିକ୍ରି କରୁଥିବା ଅବସ୍ଥାରେ ଧାରା ପଡିଥିଲେ । ସୂଚନା ଅନୁସାରେ ଏହି ଅଞ୍ଚଳରେ ନିଶାଖୋର ଯୁବକମାନଙ୍କୁ ବେଆଇନ ଭାବେ କଫ ସିରଫ ବିକ୍ରି କରିଆସୁଥିଲେ ।
ଏମାନଙ୍କ ଠାରୁ 240 ବୋତଲ କଫ ସିରଫ, 4 ଲିଟର ଅପମିଶ୍ରିତ କଫ ସିରଫ, 4110 ନଗଦ ଟଙ୍କା, ଗୋଟିଏ ଷ୍ଟ୍ରିପ ନାଇଟ୍ରୋସେନ ଟାବଲେଟ, ଗୋଟିଏ ବାଇକ ଓ 3ଟି ମୋବାଇଲ ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ରାମ ଦାସ ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀର ହୋଇଥିବାବେଳେ ମହମ୍ମଦ ଆଲ୍ଲାଉଦ୍ଦୀନ ପଶ୍ଚିମବଙ୍ଗର ଖିଦିରପୁର ଅଞ୍ଚଳର ବୋଲି ଜଣା ପଡିଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, ସମ୍ବଲପୁର