ସମ୍ବଲପୁର: ଅଧ୍ୟାପକ ବଦଳିକୁ ନେଇ ତାତିଲେ ଛାତ୍ରଛାତ୍ରୀ । ଏକାସାଙ୍ଗରେ 8 ଜଣ ଅଧ୍ୟାପକଙ୍କ ବଦଳିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମ୍ବଲପୁରର ଜିଏମ ଯୁକ୍ତ 2 ଜୁନିୟର କଲେଜର ଛାତ୍ରଛାତ୍ରୀ । କଲେଜ ମୁଖ୍ୟ ଗେଟ୍ ତାଲା ପକାଇବା ସହ ପ୍ରାୟ ଘଣ୍ଟାଏ ଧରି କଲେଜ ସମ୍ମୁଖରେ ହୋହାଲ୍ଲା କରିଥିଲେ ।
ଏହି କଲେଜରେ 9ଟି ଅଧ୍ୟାପକ ପଦବି ଖାଲି ପଡିଥିବା ବେଳେ ପୁଣି 8 ଜଣ ଅଧ୍ୟାପକଙ୍କୁ ବିନା ରିଲିଭରରେ ବଦଳି କରାଯାଇଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଗୁରୁବାର ଛାତ୍ରଛାତ୍ରୀ ମାନେ ଜିଏମ କଲେଜ ମୁଖ୍ୟ ଗେଟରେ ତାଲା ପକାଇ ଆନ୍ଦୋଳନ କରିଥିଲେ । କିଛି ସମୟ ପାଇଁ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ଆଗକୁ ପରୀକ୍ଷା ଥିବାରୁ ହଠାତ୍ ଏହି ବଦଳି ଛାତ୍ରଛାତ୍ରୀଙ୍କ ପାଠପଢାକୁ ପ୍ରଭାବିତ କରିବ ବୋଲି ସେମାନେ କହିଛନ୍ତି । ଏଥିପାଇଁ ବଦଳିକୁ ରଦ୍ଦ କରିବାକୁ ଜିଦ୍ରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରିଛି ପଶ୍ଚିମଞ୍ଚଳ ଏକତା ମଞ୍ଚ । ସଙ୍ଗଠନ ପକ୍ଷରୁ ଏକ ଜିଲ୍ଲାପାଳଙ୍କୁ ଏନେଇ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ