ସମ୍ବଲପୁର: ପାଠ ପଢିବେ ସମ୍ବଲପୁର ମଣ୍ଡଳ କାରାଗାରର ଅନ୍ତେବାସୀ । ସମ୍ବଲପୁର ମଣ୍ଡଳ କାରାଗାରରେ ଆଜିଠୁ ଏହି ବ୍ୟବସ୍ଥାର ଶୁଭରମ୍ଭ ହୋଇଛି । ଏହା ଦ୍ବାରା ଯେଉଁ ଅନ୍ତେବାସୀ ଅଧାରୁ ପାଠ ଛାଡ଼ିଥିଲେ ସେମାନେ ପାଠ ପଡିବାର ସୁଯୋଗ ପାଇବା ସହ ଏହା ଦ୍ବାରା ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।
ଜେଲ୍ ରେ ଥାଇ ପାଠ ପଢିବେ ଅନ୍ତେବାସୀ । ଓଡିଶା ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟ ଏହି ଶିକ୍ଷା ଦାନ ଦେବ । ମାଗଣାରେ ହେବ ନାମ ଲେଖା ଓ ମାଗଣାରେ ମିଳିବ ପାଠ୍ୟ ପୁସ୍ତକ । ଯୁକ୍ତ 2 ରୁ ପିଜି ଯାଏ ପଢିବାର ରହିବ ସୁବିଧା । ଏଥିପାଇଁ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସମ୍ବଲପୁର ମଣ୍ଡଳ କାରାଗାରରେ ଖୋଲିଛି ସେଣ୍ଟର । ଆଜି ସମ୍ବଲପୁର ମଣ୍ଡଳ କାରାଗାରରେ ଏହି ସେଣ୍ଟରକୁ ଶୁଭାରମ୍ଭ କରିଛନ୍ତି ଓଡିଶା ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟର କୁଳପତି ଅର୍କ କୁମାର ଦାସ ମହାପାତ୍ର ଓ ସମ୍ବଲପୁର ଜିଏମ ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଏନ ନାଗାରାଜୁ ।
ସମ୍ବଲପୁର ମଣ୍ଡଳ କାରାଗାରର ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ସମ୍ବଲପୁର ଜେଲ ଡିଆଇଜି ରାଜ କିଶୋର ସାହୁ, ସମ୍ବଲପୁର ଜେଲ ଅଧିକ୍ଷକ ବିରେନ ସାହୁ ପ୍ରମୁଖଙ୍କ ଉପସ୍ଥିତ ଥିଲେ । 12 ଜଣ ଅନ୍ତେବାସୀଙ୍କୁ ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟ ପକ୍ଷରୁ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଛି । ଏଠାକୁ ମୁକ୍ତ ବିଦ୍ୟାଳୟର ଅଧ୍ୟାପକ ଆସି ଅନ୍ତେବାସୀଙ୍କୁ ଶିକ୍ଷା ଦାନ କରିବେ। ଏହି ସୁବିଧା ପାଇ ଜେଲ ଅନ୍ତେବାସୀ ବେଶ ଖୁସି ପ୍ରକାଶ କରିଛନ୍ତି । ଏହା ଦ୍ବାରା ଜେଲରେ ଥିବା ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ହେବା ସହ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିବେ ବୋଲି ଆଶା କରାଯାଉଛି।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ