ସମ୍ବଲପୁର: ଆସନ୍ତା 6ରେ ହୋଇପାରେ ଓଡିଶା-ଛତିଶଗଡ଼ ବନ୍ୟା ନିୟନ୍ତ୍ରଣ ସମନ୍ବୟ ବୈଠକ। ଏନେଇ ଛତିଶଗଡ଼ ରାୟପୁରରେ ଏକାଠି ହେବେ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀ । ମହାନଦୀ ବନ୍ୟା ଜଳ ସମ୍ପର୍କିତ ତଥ୍ୟ ଆଦାନ ପ୍ରଦାନ ଏହି ବୈଠକରେ ହେବ ମୁଖ୍ୟ ପ୍ରସଙ୍ଗ।
ମହାନଦୀର ଜଳ ପାଇଁ ଓଡିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ପ୍ରତ୍ୟେକ ବର୍ଷ 2 ରାଜ୍ୟ ମଧ୍ୟରେ ହେଉଥିବା ବନ୍ୟା ପରିଚାଳନା ବୈଠକ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ । ତେବେ ପୂର୍ବରୁ ଏହି ବୈଠକ ବର୍ଷା ଦିନ ପୂର୍ବରୁ ହେଉଥିବା ବେଳେ ବିଗତ କିଛି ବର୍ଷ ହେଲା ଏଥିରେ ବିଳମ୍ବ ହେଉଛି। ଚଳିତ ବର୍ଷ ଏହି ବୈଠକରେ ବିଳମ୍ବ ହେବାସହ ଆସନ୍ତା 6 ତାରିଖରେ ଛତିଶଗଡ଼ର ରାୟପୁର ଠାରେ ବନ୍ୟା ପରିଚାଳନା ବୈଠକ ହେବା ନେଇ ଜଣାପଡ଼ିଛି।
ମହାନଦୀ ଉଭୟ ରାଜ୍ୟ ଦେଇ ବହୁଥିବା ବେଳେ ହୀରାକୁଦ ଡ୍ୟାମର ଉପର ମୁଣ୍ଡରେ ଛତିଶଗଡ଼ରେ ଅନେକ ଛୋଟ ବଡ଼ ଡ୍ୟାମ ଓ ବ୍ୟାରେଜ ରହିଛି। ଫଳରେ ବନ୍ୟା ଜଳ ପରିଚାଳନା ନେଇ ତଥ୍ୟ ଆଦାନ ପ୍ରଦାନ ନହେଲେ ଓଡିଶାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ କରିବା କଷ୍ଟକର ହୋଇଥାଏ। ତେଣୁ ଏହି ବୈଠକର ବହୁ ଗୁରୁତ୍ବ ରହିଛି।
ସୂଚନା ଅନୁଯାୟୀ, ଏହି ବୈଠକରେ ଉଭୟ ରାଜ୍ୟର ଜଳସମ୍ପଦ ବିଭାଗର ପ୍ରମୁଖ ଅଧିକାରୀ ଯୋଗ ଦେବେ। ତେବେ କେଉଁ ନଦୀ ଦେଇ କେତେ ଜଳ ଆସୁଛି, ବର୍ଷାର ପରିମାଣ,ବନ୍ୟା ପରିଚାଳନା, ଡ୍ୟାମ ଓ ବ୍ୟରେଜରୁ ବନ୍ୟା ଜଳ ନିଷ୍କାସନ ପାଇଁ କେତେ ଗେଟ ଖୋଲିବ । ଏନେଇ ସୂଚନାର ଆଦାନ ପ୍ରଦାନ ଓ ବନ୍ୟା ଜଳ କେତେ ସମୟ ମଧ୍ୟରେ ଓଡିଶା ପହଞ୍ଚିବ ବୈଠକରେ ଆଲୋଚନା ହେବ। ଏହି ବୈଠକ ଆସନ୍ତା 6 ତାରିଖରେ ହେବ ବୋଲି କୁହାଯାଇଛି ତେବେ 2 ରାଜ୍ୟ ମଧ୍ୟରେ ମହାନଦୀ ନେଇ ଜଳ ବିବାଦ ଲାଗିରହିଥିବାରୁ ଅନେକ ଅନିର୍ଦ୍ଧିଷ୍ଟତା ମଧ୍ୟ ଲାଗିରହିଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ