ETV Bharat / state

ପାଇପ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ - ଗୋଦାମରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ

ସମ୍ବଲପୁର ଜିଲ୍ଲା ଗୁଣ୍ଡେରପୁର ସ୍ଥିତ ପାଇପ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ l ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାଇପ ପୋଡ଼ି ଯାଇଥିବା ସୂଚନା । ଅଧିକ ପଢ଼ନ୍ତୁ

fire breaks out at pipe godown
ପାଇପ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ
author img

By

Published : May 22, 2023, 4:19 PM IST

ପାଇପ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର: ଧମା ଥାନା ଅନ୍ତର୍ଗତ ଗୁଣ୍ଡେରପୁର ସ୍ଥିତ ପାଇପ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ l ଗୋଦାମରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ । ସକାଳ ପ୍ରାୟ 10ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପ୍ରାୟ 3 ଘଣ୍ଟା ଆପ୍ରାଣ ଉଦ୍ୟମରେ ନିଆଁକୁ ଆୟତ୍ତ କରିଛି | ତେବେ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ l ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚି ପରିସ୍ଥିତିର ନିରୀକ୍ଷଣ କରିଛନ୍ତି l

ପାଇପ କମ୍ପାନୀ କର୍ତ୍ତୃପକ୍ଷ ଜ୍ୟୋତି ରଞ୍ଜନ ଶତପଥିଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କମ୍ପାନୀର କାନ୍ଥ ବାହାରେ ଥିବା କ୍ଷେତର ନଡାରେ କୌଣସି କାରଣରୁ ନିଆଁ ଲାଗି ଘାସ ଜରିଆରେ ନିଆଁ ପାଇପ ଥିବା ଅଞ୍ଚଳକୁ ବ୍ୟାପିଥିଲା l ପ୍ରଥମେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ l ତେବେ ନିଆଁ ଲିଭିବା ପରିବର୍ତ୍ତେ ଆହୁରି ହୁହୁ ହୋଇ ଜଳିଥିଲା ଏବଂ ଚାରିଆଡେ ଧୂଆଁମୟ ହୋଇ ଯାଇଥିଲା l ଅଗ୍ନିଶମ ବାହିନୀକୁ ସୂଚନା ଦେବା ପରେ ମାନେଶ୍ୱେର ଜୁଯୁମୁରା, ସମ୍ବଲପୁରର ଅଗ୍ନିଶମ ବାହିନୀର 5ଟି ଟିମ୍‌ ପହଞ୍ଚି 3 ଘଣ୍ଟା ପରିଶ୍ରମ କରି ନିଆଁକୁ ଲିଭାଇବାରେ ସକ୍ଷମ ହୋଇଛି l ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି l

ଘଟଣାସ୍ଥଳରେ ସମ୍ବଲପୁର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ଧମା ଥାନା ଅଧିକାରୀ ପ୍ରଶାନ୍ତ ସାମଲ ଉପସ୍ଥିତ ରହିଥିଲେ l ଅଗ୍ନିକାଣ୍ଡ କିପରି ଘଟିଲା ସେନେଇ ତଦନ୍ତ ହେବ ବୋଲି ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା ସୂଚନା ଦେଇଛନ୍ତି l ପାଇପ ଗୋଦାମରେ ସିସିଟିଭି ବ୍ୟବସ୍ଥା ଏବଂ ନିଆଁ ଲିଭାଇବା ପାଇଁ ଫାୟାର ସେଫ୍‌ଟି ବ୍ୟବସ୍ଥା ନଥିବା କୁହାଯାଉଛି । ଏନେଇ ପାଇପ କମ୍ପାନୀ କର୍ତ୍ତୃପକ୍ଷ ଜ୍ୟୋତି ରଞ୍ଜନ ଶତପଥି କହିଛନ୍ତି, "ନଡାରେ କିପରି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ଘଟଣାର ତଦନ୍ତ ଜାରି ରହିଛି, ଏହାପରେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିବ ।"

ମିଳିଥିବା ସୂଚନା ଅନୁସାରେ, ଏହି ପାଇପ ମାନେଶ୍ଵର ବ୍ଲକର ପ୍ରତ୍ୟେକ ପଞ୍ଚାୟତର ପାନୀୟ ଜଳ ଯୋଗାଣ ପାଇଁ ବ୍ୟବହାର ହୋଇଥାନ୍ତା l ସମ୍ବଲପୁର ଜିଲ୍ଲା ପ୍ରଶାସନର RWSS ବିଭାଗର ପାନୀୟ ଜଳ ଯୋଗାଣ କାର୍ଯ୍ୟରେ ପାଇପ ଗୁଡ଼ିକ ବ୍ୟବହାରରେ ଲାଗିଥାନ୍ତା l ତେବେ ଏହି ଗୋଦାମରେ ନିଆଁ କିପରି ଲାଗିଲା ତାହା ତଦନ୍ତ ସାପେକ୍ଷ ବୋଲି ସ୍ଥନୀୟ ଲୋକେ କହିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.