ସମ୍ବଲପୁର: ସମ୍ବଲପୁରୀ ଲୋକନୃତ୍ୟ ଓ ସଙ୍ଗୀତ ଯେମିତି ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ପାଇଛି ସେହିପରି ଏହାର ହସ୍ତତନ୍ତ ବା ବନ୍ଧକଳାର ମଧ୍ୟ ରହିଛି ସ୍ବତନ୍ତ୍ର ପରିଚୟ । ଏବେ କିନ୍ତୁ ଏହାର କାରିଗର ଓ ବୁଣାକାରଙ୍କ ଜୀବନ ଜୀବିକା ସଙ୍କଟରେ ଥିବା ଦେଖା ଦେଇଛି । କାରଣ ହେଉଛି ବଜାରକୁ ଆସୁଥିବା ଅବିକଳ ସମ୍ବଲପୁରୀ ପ୍ରିଣ୍ଟର ଛାପା ଶାଢ଼ୀ ।
ସାଧାରଣତଃ ପଶ୍ଚିମ ଓଡି଼ଶାର ଭୁଲିଆ ବା ମେହେର ସମାଜର ଲୋକେ ସମ୍ବଲପୁରୀ ବସ୍ତ୍ର ବୁଣିବା ତଥା ବ୍ୟବସାୟକୁ ନିଜର କୂଳ ବେଉସା ଭାବେ ଗ୍ରହଣ କରିଛନ୍ତି । ଅବିଭକ୍ତ ସମ୍ବଲପୁରକୁ ଯିଏ ଆସେ ସେ ଏହି ହାତବୁଣା ବାନ୍ଧ ଶାଢ଼ୀ କିମ୍ବା କପଡା ଖଣ୍ଡେ ସମ୍ବଲପୁରୀ କିଣି ନେବାକୁ ମନ ବଳାଏ । ତେବେ ବର୍ତ୍ତମାନ ଏହାକୁ ବୁଣୁଥିବା ଭୁଲିଆ ବୁଣାକାରଙ୍କ କୁଳ ବେଉସା ଉପରେ ମାଡି ବସିଛି ସଙ୍କଟ । ଆଉ ଏହାର ପ୍ରଭାବ ବଡ଼ ବଡ଼ ବ୍ୟବସାୟୀଙ୍କ ଉପରେ ମଧ୍ୟ ପଡୁଛି। କାରଣ ଏବେ ବଜାରରେ ନକଲି ପ୍ରିଣ୍ଟ ସମ୍ବଲପୁରୀ ଛାପା ଶାଢ଼ୀ ଅତି ସହଜରେ ଆଉ କମ ଦାମରେ ମିଳୁଛି।
ବୁଣା ସମ୍ବଲପୁରୀ ଶାଢ଼ୀର ଦାମ 2 ହଜାରରୁ ଆରମ୍ଭ ହୋଇ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଏହି ଛାପା ଶାଢ଼ୀ ମାତ୍ର 3 ଶହ ଟଙ୍କାରୁ 5 ଶହ ଭିତରେ ମିଳୁଛି। ଅବିକଳ ସମ୍ବଲପୁରୀ ଡିଜାଇନକୁ ନକଲ କରି ଲକ୍ଷ ଲକ୍ଷ ଛାପା ଶାଢ଼ୀ ତିଆରି କରୁଛନ୍ତି । ଏମିତି ନୁହେଁ ଯେ ବ୍ୟବଶାୟୀ ମାନେ ଲୋକଙ୍କୁ ଠକି ଏହି ସମ୍ବଲପୁରୀ ଶାଢ଼ୀ ବଦଳରେ ଛାପା ଶାଢ଼ୀ ବିକୁଛନ୍ତି । ବରଂ ଲୋକେ ସମାନ ଡିଜାଇନର ଜିନିଷ ଅତି ଶସ୍ତା ଦରରେ ପାଉଥିବାରୁ ଏହାକୁ କିଣୁଛନ୍ତି । ଆଉ ଏହାର ପ୍ରଭାବ ପଡୁଛି ଉଭୟ ବୁଣାକାର ଓ ବ୍ୟବସାୟୀଙ୍କ ଉପରେ। ଗୋଟିଏ ବୁଣା ସମ୍ବଲପୁରୀ ଶାଢ଼ୀ ତିଆରି କରିବାକୁ ବୁଣାକାରଙ୍କୁ 4 ଦିନରୁ ଆରମ୍ଭ କରି 6 ମାସ ପର୍ଯ୍ୟନ୍ତ ସମୟ ଲାଗିଥାଏ। ଅନ୍ୟ ପଟେ ଗୋଟିଏ ଦିନରେ ଲକ୍ଷାଧିକ ଛାପା ଶାଢ଼ୀ ଉତ୍ପାଦନ ହେଉଛି। ଫଳରେ ଏହାର ପ୍ରଭାବ ବୁଣାକାରଙ୍କ ପରିବାର ଉପରେ ପଡୁଛି। ଏତେ ପରିଶ୍ରମ ପରେ ମଧ୍ୟ ନିଜର ପ୍ରାପ୍ୟ ପାଉ ନଥିବାରୁ ଏହି ବାନ୍ଧ କଳାର ପେଷାକୁ ବହୁ ଲୋକ ଛାଡିବାରେ ଲାଗିଛନ୍ତି । ଆଉ ପଶ୍ଚିମ ଓଡ଼ିଶାର ପରିଚୟ ଏହି ବାନ୍ଧ କଳା ଧୀରେ ଧୀରେ ଲୋପ ପାଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
ମୁଖ୍ୟତଃ ଗୁଜୁରାଟ ଓ ରାଜସ୍ଥାନରୁ ଏହି ଛାପା ଶାଢ଼ୀ ଆସୁଥିବା ଅଭିଯୋଗ ହୋଇଛି । ଏହି ସମସ୍ୟା ନେଇ ରାଜ୍ୟର ବୁଣାକାର ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ ଟେକ୍ସଟାଇଲ ବିଭାଗରେ ଅଭିଯୋଗ କରାଯାଇ ପ୍ରମାଣ ମଧ୍ୟ ଦିଆଯାଇଛି। ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଅନ୍ୟପଟେ ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରଣାଳୟର ଦୃଷ୍ଟି ମଧ୍ୟ ଆକର୍ଷଣ କରାଯାଇଥିଲେ ମଧ୍ୟ ଫଳ ଶୂନ । ଏବେ ବହୁ ବୁଣାକାର ପାରମ୍ପାରିକ ହସ୍ତ ତନ୍ତ ସମ୍ବଲପୁରୀ ଶାଢ଼ୀ ସହିତ ଛାପା ଶାଢ଼ୀ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି । ଏପରିକି ଗ୍ରାହକଙ୍କୁ ଏହା ଛାପା ଶାଢ଼ୀ ବୋଲି କହିଲେ ମଧ୍ୟ ଏହାର ଦାମ କମ ଥିବାରୁ ସେମାନେ ଏହାକୁ ଆଗ୍ରହ ସହ କିଣୁଛନ୍ତି ବୋଲି ବ୍ୟବସାୟୀ କହୁଛନ୍ତି।
ତେବେ ଏହି ଛାପା ଶାଢ଼ୀ ସବୁ ରାଜ୍ୟ ବାହାରେ ତିଆରି ହେଉଥିବାରୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟଭି ଭାରତ