ସମ୍ବଲପୁର: ସମ୍ବଲପୁରରେ ଠାବ ହେଲା ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି । ନକଲି ମଦ କାରଖାନା ଠାବ କଲା ସମ୍ବଲପୁର ଜିଲ୍ଲା ଅବକାରୀ ଗୁଇନ୍ଦା ବିଭାଗ । ଶୁକ୍ରବାର ସମ୍ବଲପୁର ଶାସନ ଗାଁ ରାଣୀଖିଣ୍ଡାଠାରେ ଏକ ଘରେ ନକଲି ବିଦେଶୀ ମଦ କାରଖାନାକୁ ସମ୍ବଲପୁର ଜିଲ୍ଲା ଅବକାରୀ ଗୁଇନ୍ଦା ବିଭାଗ ଠାବ କରିଛି । ଏହି ମାମଲାରେ ଅବକାରୀ ବିଭାଗ ସରୋଜ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।
ଏହି କାରଖାନାରୁ ବ୍ୟପାକ ପରିମାଣର ମଦ ତିଆରି ସାମଗ୍ରୀ ଜବତ ହୋଇଛି ଯାହାର ମୂଲ୍ୟ ୪ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଯଶବୀର ସିଂ କୋହିଲି ଫେରାର ହୋଇଯାଇଛି । ସରୋଜ ବେହେରା ନକଲି ବିଦେଶୀ ମଦ ତିଆରି କରୁଥିବା ବେଳେ ବିନିକା, ବରପାଲି ତଥା ସମ୍ବଲପୁରର ଗ୍ରାମାଞ୍ଚଳକୁ ଏହି ମଦ ଚାଲାଣ କରୁଥିବା ଜଣାପଡିଛି । ଏହି କାରଖାନାରୁ ୧୦ ହଜାର ୪୫୨ଟି ଠିପି, ୪୫୦ ଲିଟର ସ୍ପିରିଟ, ୩୦ ଲିଟର ବ୍ଲେଣ୍ଡେଡ ସ୍ପିରିଟ, 16 ଲିଟର ନକଲି ଫରେନ ଲିକର, ଏକ ସିଲ୍ଡ ମେସିନ,୧୩୫ଟି ଷ୍ଟିକର ଜବତ ହୋଇଛି କରିଛି ଅବକାରୀ ବିଭାଗ ।
ମାର୍କେଟରେ ମିଳୁଥିବା ସବୁ ନାମୀଦାମୀ ମଦ ବ୍ରାଣ୍ଡର ଠିପି ସହ ଷ୍ଟିକର ଲଗାଇ ମଦକୁ ମାର୍କେଟକୁ ପଠା ଯାଉଥିଲା । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ସେ କେମିଷ୍ଟ୍ରିରେ Bsc କରିଥିବା କହିଛନ୍ତି । ସରୋଜ କରିଛନ୍ତି ଯେ ସେ ଏହି ଘରକୁ ସମ୍ବଲପୁର କ୍ଷେତରାଜପୁରର ଯଶବୀର ସିଂ କୋହିଲିଙ୍କୁ ଭଡାରେ ଦେଇଥିଲେ ।
ଅବକାରୀ ବିଭାଗର ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା କହିଛନ୍ତି ଯେ, ଗିରଫ ଅଭିଯୁକ୍ତ ପ୍ରଫେସନାଲ ଭାବେ ଏହି କାର୍ଯ୍ୟ କରି ଆସୁଥିଲେ । ମୁଖ୍ୟ ଅଭିଯୁକ୍ତ ଯଶବୀର ସିଂ ନାଁରେ ନକଲି ପାସ ତିଆରି କରି କୋଲକାତାରୁ ପ୍ରିଣ୍ଟ ଅଏଲ ନାଁରେ ଏହି ସବୁ ମଦ ତିଆରି ସାମଗ୍ରୀ ଆଣୁଥିଲେ । ତେବେ ସହରର ମଦ ଦୋକାନଗୁଡିକୁ ଏହି ମଦ ପଠା ଯାଉଥିଲା କି ନାହିଁ ସେନେଇ ଆଗକୁ ତଦନ୍ତ ହେବ ଓ ସବୁ ଦୋକାନର ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି ଡେପୁଟି କମିଶନର । ଏହାସହିତ ମୁଖ୍ୟ ଅଭିଯୁକ୍ତ ଯଶବୀର ସିଂକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର