ସମ୍ବଲପୁର: ଲୋକ କଳାର ସମ୍ଭାରରେ ପରିପୂର୍ଣ୍ଣ ପଶ୍ଚିମ ଓଡିଶା । ଏହାର ଲୋକ ନୃତ୍ୟ, ସଙ୍ଗୀତ ଓ ବାଦ୍ୟର ରହିଛି ଭିନ୍ନ ଏକ ପରିଚୟ । ଏହାମଧ୍ୟରୁ ଦୁଲଦୁଲି ବାଜା ଅନ୍ୟତମ । ଯେ କୌଣସି ପର୍ବ ପର୍ବାଣୀ ହେଉକି ବିବାହ ବ୍ରତ ହେଉ, ଏହି ବାଦ୍ୟ ନ ବାଜିଲେ ତାହା ଅଧୁରା ହୋଇଥାଏ । କାରଣ କୁହାଯାଏ ଯେ କୌଣସି ଶୁଭ କାର୍ଯ୍ୟରେ ଏହି ବାଦ୍ୟ ଜରିଆରେ ଦେବୀଙ୍କୁ ଆବାହନ କରାଯାଇଥାଏ । ଏହି ବାଦ୍ୟ ବଜାଇବା ପାଇଁ ସମ୍ବଲପୁରରେ ରହିଛନ୍ତି ଖାସ କଳାକାରମାନେ । ଯେଉଁମାନେ ଏହି ବାଦ୍ୟ ବଜାଇ ଭଲ ଦି ପଇସା ରୋଜଗାର କରିଥାନ୍ତି । କିନ୍ତୁ ମହାମାରୀ କୋରୋନା ଏମାନଙ୍କ ଜୀବନ ଜୀବିକା ଛଡାଇ ନେଇଛି ।
ବର୍ତ୍ତମାନ ଲକଡାଉନ ଯୋଗୁଁ ପୂଜା ପାର୍ବଣ,ସାମାଜିକ କାର୍ଯ୍ୟ ଆଦିରେ ରୋକ ଲାଗିଥିବାରୁ ଏହି କଳାକାରଙ୍କ ବେଉସା ବୁଡି ଯାଇଛି । ଫଳରେ ସମସ୍ୟାରେ ଜୁଝି ହେଉଛନ୍ତି ଏହି କଳାକାରମାନେ ।
ବର୍ତ୍ତମାନ ସମ୍ବଲପୁରର ଶତାଧିକ କଳାକାର ବେକାର ବସିଛନ୍ତି । କେବଳ ମନ ହେଲେ ଘରେ ଥିବା ଢୋଲକୁ ଧରି ମନକୁ ବୁଝାଇବା ପାଇଁ ଟିକେ ଅଭ୍ୟାସ କରୁଛନ୍ତି । ମୁଖ୍ୟତଃ ଏହି ସିଜନରେ ଗୋଟିଏ କଳାକାର ଦଳ 500 ବିବାହ ବ୍ରତ ଆଦି ସମାଜିକ କାର୍ଯ୍ୟରେ ବାଦ୍ୟ ବଜାଇଥାନ୍ତି । ଏହି ସମୟରେ ପ୍ରାୟ ବର୍ଷକର ରୋଜଗାର କରନ୍ତି ଏମାନେ । ହେଲେ ଲକଡାଉନ ସମସ୍ତଙ୍କୁ ବନ୍ଦୀ କରିଦେଇଛି । ଚଳିତବର୍ଷ ଏମାନେ କାର୍ଯ୍ୟ ପାଇଁ ଆଗୁଆ ଆଡଭାନ୍ସ ଆଣିଥିବା ବେଳେ ତାହା ଏବେ ସରିବାକୁ ବସିଲାଣି । ସେହି ଟଙ୍କା ଏବେ ଏମାନେ କେମିତି ସୁଝିବେ ସେ ନେଇ ଭାଳେଣି ପଡିଛି । ସମସ୍ୟା ଘେରରେ ଘାଣ୍ଟି ହେଉଥିବା ଏହି କଳାକାରମାନେ ବର୍ତ୍ତମାନ ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ