ସମ୍ବଲପୁର: ପେଟ୍ରୋଲିୟମ ପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିର ପ୍ରତିବାଦ କଲା ବାମ ଦଳ। ସୋମବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ପକ୍ଷରୁ ପ୍ରତିବାଦ କରାଯିବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦେଶରେ ଅହେତୁକ ଭାବେ ବୃଦ୍ଧି ପାଉଥିବା ପେଟ୍ରୋଲିୟମ ପଦାର୍ଥ ଓ ଅତ୍ୟାବଶ୍ୟକ ଦ୍ରବ୍ୟର ଦର ବୃଦ୍ଧିର ପ୍ରତିବାଦ କରିଛି ସିପିଆଇ। ସୋମବାର ସିପିଆଇ କର୍ମୀମାନେ ବ୍ୟାନର ଓ ପୋଷ୍ଟର ଧରି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିବା ସହ ଦର ବୃଦ୍ଧିର ପ୍ରତିବାଦ କରିଛନ୍ତି।
ମୁଖ୍ୟତଃ ପେଟ୍ରୋଲିୟମ ପଦାର୍ଥ ଉପରେ ଟିକସ ହ୍ରାସ କରି ଦର କମେଇବା,କୋଭିଡ ଚିକିତ୍ସା ସମ୍ପୂର୍ଣ୍ଣ ରୂପେ ମାଗଣା କରିବା, ଶ୍ରମିକ ମାନଙ୍କୁ ଚିହ୍ନଟ କରି ମାସିକ ସହାୟତା ରାଶି ପ୍ରଦାନ କରିବା ତଥା ପ୍ରତ୍ୟେକ ଗରିବ ପରିବାରକୁ 7500 ଟଙ୍କା ମାସିକ ସହାୟତା ରାଶି ପ୍ରଦାନ କରିବା ଆଦି ଦାବି କରିଛି ବାମଦଳ। ଏହି ସବୁ ଦାବି ଉପରେ ସରକାର ଗୁରୁତର ସହ ବିଚାର ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ