ସମ୍ବଲପୁର: ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ସରଗରମ ରାଜନୀତି । ଚଳିତ ପଞ୍ଚାୟତ ନିର୍ବାଚନରେ ଆରମ୍ଭ ହୋଇଛି ଏକ ନୂଆ ଟ୍ରେଣ୍ଡ । ମୁଖ୍ୟତଃ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଏବେ ରାଜନୀତି ମଇଦାନକୁ ଓହ୍ଲାଉଛନ୍ତି । ଏହିପରିପ୍ରେକ୍ଷୀରେ ସମ୍ବଲପୁର ଯୁଜୁମୁରା ବ୍ଲକ ଯୁଜୁମୁରା ପଞ୍ଚାୟତର ଜଣେ ବିଟେକ ମେକାନିକାଲ ଇଞ୍ଜିନିୟର ଚାକିରି ଛାଡି ରାଜନୀତିକୁ ଓହ୍ଲାଇ ଥିବା ଦେଖିବାକୁ ମିଳିଛି । ଏହି ଉଚ୍ଚ ଶିକ୍ଷିତ ଯୁବକ ଜଣକ ଏବେ ସମିତି ସଭ୍ୟ ପ୍ରାର୍ଥୀ ହୋଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।
ଯୁଜୁମୁରା ପଞ୍ଚାୟତ ଡଙ୍ଗାପାଳ ଗାଁର ଯୁବକ ଜୟନ୍ତ ପ୍ରଧାନ । ଶିକ୍ଷାଗତ ଯୋଗ୍ୟତା ବିଟେକ ମେକାନିକାଲ ଇଞ୍ଜିନିୟର । ସେ BPUTରୁ ମେକାନିକାଲରେ BTech କରିବା ପରେ ମୁମ୍ବାଇ ଓ ପୁଣେ ସ୍ଥିତ ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ ଚାକିରି କରୁଥିଲେ । ତାଙ୍କ ମାସିକ ଦରମା 70 ହଜାର । ଗତ ଲକଡାଉନ ସମୟରେ ସେ ଯେତେବେଳେ ଗାଁକୁ ଆସିଥିଲେ ଗାଁର ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଦେଖିଥିଲେ ଏବଂ ଏହାର ସମାଧାନ ପାଇଁ ସେ ରାଜନୀତିକୁ ଆସିବାକୁ ସୁଯୋଗ ଖୋଜୁଥିଲେ ।
ବର୍ତ୍ତମାନ ସେ ସମିତି ସଭ୍ୟ ପ୍ରାର୍ଥୀ ପାଇ ନାମାଙ୍କନ ଭରିଛନ୍ତି । ଏଥିପାଇଁ ଗାଁ ଲୋକେ ମଧ୍ୟ ବହୁତ ଖୁସି ଅଛନ୍ତି । କାରଣ ଜୟନ୍ତଙ୍କ ଭଳି ଉଚ୍ଚ ଶିକ୍ଷିତ ଯୁବକ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ କରିବେ ବୋଲି ଲୋକେ ଆଶା ବାନ୍ଧିଛନ୍ତି । ସେଥିପାଇଁ ସ୍ଥାନୀୟ ଲୋକେ ବହୁତ ଖୁସି ମଧ୍ୟ । ଜୟନ୍ତ ମଧ୍ୟ ଘରକୁ ଘର ଯାଇ ଲୋକଙ୍କୁ ଭେଟୁଛନ୍ତି । ସେ ବିଜୟୀ ହେଲେ ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନରୁ ଲାଗି ରହିଥିବା ବିଭିନ୍ନ ସମସ୍ୟା ଦୂର କରିବେ ବୋଲି କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ