ସମ୍ବଲପୁର: ବର୍ତ୍ତମାନ ସାରା ରାଜ୍ୟରେ ରୌଦ୍ର ତାପ ବଢିବାରେ ଲାଗିଛି । ଗୋଟିଏ ପଟେ ତାପମାତ୍ର ବଢୁଥିବାବେଳେ ସାଧାରଣ ଲୋକ ପାଣି ଟିକେ ପାଇବା ଲାଗି ଡହଳବିକଳ ହେଉଛନ୍ତି । ତେବେ ସମ୍ବଲପୁର ସହରରେ ଜଳର ଆବଶ୍ୟକତା ବଢିଥିବାବେଳେ ସାଧାରଣ ଲୋକଙ୍କୁ ଜଳ ଯୋଗାଇବାରେ ଏକ ପ୍ରକାର ବିଫଳ ହୋଇଛି ଜିଲ୍ଲା ପ୍ରଶାସନ ।
ସେହିପରି ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ନେଇ ଅସୁବିଧା ଥିବାରୁ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ଏପଟେ ଲୋକଙ୍କ ସମସ୍ୟାକୁ ନେଇ ଆଜି(ସୋମବାର) ସମ୍ବଲପୁର ଜିଲ୍ଲା ବିଜେପି ଓ ସ୍ଥାନୀୟ ଲୋକେ ବୁକସ ହଲ ନିକଟରେ ଥିବା ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛି । ଏଥିସହ ସହରରେ ବେଆଇନ କନେକ୍ସନ ଓ ପିଏଚଡି ପାଣିକୁ ମୋଟର ପମ୍ପ ଦ୍ୱାରା ଉଠାଇବା ନେଇ ଏହି ସମସ୍ୟା ସୃଷ୍ଟି ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।
ସେହିଭଳି ସହରର ଏବେ ବି ବିଭିନ୍ନ ସ୍ଥାନରେ ପାଇପ କନେକ୍ସନ ହୋଇନଥିବାରୁ ପାନୀୟ ଜଳ ପାଇବାରୁ ଲୋକେ ବଞ୍ଚିତ ହୋଇଛନ୍ତି । ଏହାକୁ ମୁଦ୍ଦା କରି ଆଜି ଜିଲ୍ଲା ବିଜେପି ସଭାପତି ଗିରିଷ ପଟେଲଙ୍କ ନେତୃତ୍ୱରେ ଶହ ଶହ ଲୋକ ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଜନସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ଦେ ଯଥାଶୀଘ୍ର ପାନୀୟ ଜଳଯୋଗାଣର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଆନ୍ଦୋଳନରୁ ଓହରିଥିଲେ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ