ସମ୍ବଲପୁର: ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ସମ୍ବଲପୁର ସହର। ସମ୍ବଲପୁରୀ ବସ୍ତ୍ର ସାଙ୍ଗକୁ ଏହାର ଭାଷା, ସଂସ୍କୃତି ଏହାକୁ ଦେଇଛି ଭିନ୍ନ ଏକ ପରିଚୟ । ତେବେ ଏସମସ୍ତ ଜିନିଷ ସହ ସମ୍ବଲପୁରକୁ ସ୍ବତନ୍ତ୍ର ପରିଚୟ ଦେଇଛି ଜାଲ ଭଳି ଦିଶୁଥିବା ତିନିକୋଣିଆ ମିଠା ସରସତିଆ। ସମ୍ବଲପୁର ବୁଲି ଗଲେ ଆପଣ ବେଶ ଭଲ ଭାବେ ଏହା ସହ ପରିଚିତ ହୋଇଯିବେ । ଥରେ ଏହାକୁ ଯିଏ ଖାଇଛି ସାରା ଜୀବନ ଏହାର ସ୍ବାଦ ସେ ଭୁଲି ପାରି ନାହିଁ । ଏହା ତିଆରି କରିବା ପାଇଁ କୌଣସି ଚର୍ବି ଜାତୀୟ ଜିନିଷର ବ୍ୟବହାର ହୁଏ ନାହିଁ । ଗଞ୍ଜେର ନାମକ ଏକ ଗଛର ଅଠାରୁ ପ୍ରସ୍ତୁତ ହୁଏ ଏହି ମିଠା ।
ପ୍ରାୟ 180 ବର୍ଷ ଧରି ସମ୍ବଲପୁର କୁଞ୍ଜେଲପଡା ବୁଢ଼ୀମା ଗଳିର ମିଞ୍ଚୁ କାକା ଓରଫ ପ୍ରଭୁଲାଲ ଗୁପ୍ତାଙ୍କ ଦୋକାନରେ ତିଆରି ଚାଲିଛି ଏହି ସରସତିଆ । ପ୍ରଭୁଲାଲଙ୍କ ଜେଜେବାପା ଅମଳରୁ ଏହି ସରସତିଆ ତିଆରି ହୋଇଥିବା କହନ୍ତି ପ୍ରଭୁଲାଲ । ଗ୍ରାହକଙ୍କୁ କିଛି ନୂଆ ପରଷିବା ପାଇଁ ପ୍ରଭୁଲାଲଙ୍କ ଜେଜେବାପା ବେଣିମାଧବ ଗୁପ୍ତା ଆବିଷ୍କାର କଲେ ଗଞ୍ଜେର ଗଛ ଅଠାର ବ୍ୟବହାରକୁ । ଗଞ୍ଜେର ଗଛର କାଠି ସଂଗ୍ରହ କରି ତାକୁ ପାଣିରେ ବତୁରାଇବା ପରେ ସେଥିରୁ ଏକ ଅଠା ଭଳି ପଦାର୍ଥ ବାହାରେ ଯାହାକୁ ଚାଉଳ ଚୂନାରେ ମିଶାଇ ଅଳ୍ପ ଚିନି ଦେଇ ସରସତିଆ ପ୍ରସ୍ତୁତ କରିଥିଲେ ବେଣିମାଧବ । ତେବେ ପ୍ରଥମ କରି ସରସ୍ବତୀ ପୂଜା ଦିନ ଏହା ତିଆରି ହୋଇଥିବାରୁ ଏହାର ନାମ ‘ସରସତିଆ’ ହୋଇଥିବା କୁହଯାଏ । ଏହାକୁ ତିଆରି କରିବା ସହଜ ଲାଗୁଥିଲେ ମଧ୍ୟ ତିଆରି କରିବାର ରହିଛି ସ୍ବତନ୍ତ୍ର କଳା । ଯେକେହି ଏହାକୁ ତିଆରି କରି ପାରନ୍ତି ନାହିଁ ।
ଅନେକେ କହନ୍ତି ଏହା ଘେୱର ପରି ଆଉ କିଏ ପୁଣି କହେ ଏହା ରୋଜ କୁକିଜ ପରି । କିନ୍ତୁ ଥରେ ଏହାର ସ୍ବାଦ ଚାଖିଲା ପରେ ଭୁଲି ହୋଇଯାଏ ଅନ୍ୟ ସମସ୍ତ ସ୍ବାଦ । ସାରା ବିଶ୍ବରେ କେବେଳ ଏହି ଗୋଟିଏ ସ୍ଥାନରେ ହିଁ ଆପଣଙ୍କୁ ମିଳିବ ସରସତିଆର ସ୍ବାଦ । ଆଉ ଗଞ୍ଜେର ଗଛ ଅଠରେ ଏନେକ ଔଷଧୀୟ ଗୁଣ ଥିବାରୁ ଏହାକୁ ସମସ୍ତେ ଖାଇ ପାରିବେ ଏପରିକି ମଧୁମେହ ରୋଗୀ ମଧ୍ୟ ଏହାକୁ ଖାଇ ପାରିବେ ।
ସମ୍ବଲପୁରରେ ବର୍ତ୍ତମାନ ସରସତିଆର ଅନ୍ୟ ପରିଚୟ ମିଞ୍ଚୁ କାକା। କାରଣ ତାଙ୍କ ହାତ ତିଆରି ସରସତିଆର ସ୍ବାଦ ନିଆରା । ସେଥିପାଇଁ ପ୍ରତ୍ୟକ ଦିନ ସକାଳୁ ସକାଳୁ ତାଙ୍କ ଦୋକାନରେ ଭିଡ଼ ଜମିଥାଏ। ଯିଏ ଯେଉଁଠୁ ସମ୍ବଲପୁର ଆସିଲେ ଏହି ଦୋକାନକୁ ଆସନ୍ତି ସରସତିଆ କିଣିବା ପାଇଁ। ଆଉ ମିଞ୍ଚୁ କାକା ବା ପ୍ରଭୁଲାଲ ଗୁପ୍ତାଙ୍କ ପରିବାରର ସମସ୍ତେ ସକାଳୁ ସକାଳୁ ଏହି ସରସତିଆ ତିଆରିରେ ଲାଗିପଡନ୍ତି। ଏହି ପରିବାର 3 ପିଢ଼ି ଧରି ଏହି ସରସତିଆ ତିଆରି କରି ଆସୁଛନ୍ତି। ବର୍ତ୍ତମାନ ଚତୁର୍ଥ ପିଢ଼ି ଅର୍ଥାତ ପ୍ରଭୁଲାଲଙ୍କ ପୁଅ ମଧ୍ୟ ଏଥିରେ ନିଜକୁ ନିୟୋଜିତ କରିଛନ୍ତି ।
ସମ୍ବଲପୁର ଭିତରେ ଲୁକ୍କାଇତ ହୋଇ ରହିଥିବା ଏହି ମିଠା ଏବେ ଧୀରେ ଧୀରେ ଲୋକ ଲୋଚନକୁ ଆସିଲାଣି ରାଜ୍ୟ ତଥା ରାଜ୍ୟ ବାହାର ଲୋକ ମଧ୍ୟ ଏହାକୁ ଖୁବ ପସନ୍ଦ କରୁଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ