ସମ୍ବଲପୁର: ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ନେଇ ଆସିଲା ଅଭିଯୋଗ । ମୂଳ ଚାଷୀ ଜଣକ ଧାନବିକ୍ରୀ କରି ଟଙ୍କା ନ ଦେବା ପରେ ଭାଗ ଚାଷୀ ଜଣକ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସମ୍ବଲପୁର ଶାସନ ଥାନା ଅଞ୍ଚଳ ଶେରଷୁଆଁତଲ୍ ଗାଁରେ ଘଟିଛି ଏହି ଘଟଣା ।
ମୃତକ ଚାଷୀ ଜଣକ ହେଲେ ଭି. ଗୋପାଳକ୍ରିଷ୍ଣା । ମୂଳ ଜମି ମାଲିକ ଧାନବିକ୍ରୀ ପଇସା ନଦେବାରୁ ଆର୍ଥିକ ସଙ୍କଟ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭି. ଗୋପାଳକ୍ରିଷ୍ଣା କୁଡେସେରା ଗାଁର ଜଣେ ବ୍ୟକ୍ତିଙ୍କ ଜମିକର ଆକାରରେ ଚାଷ କରିବା ସହ ଜମି ମାଲିକ ନାଁରେ ଧାନ ବିକ୍ରୀ କରୁଥିଲେ । ଫଳରେ ଜମି ମାଲିକ ଆକାଉଣ୍ଟକୁ ହିଁ ଧାନ ବିକ୍ରୀ ଟଙ୍କା ଯାଉଥିଲା । ହେଲେ ବର୍ତ୍ତମାନ ଧାନ ଚାଷ ସମୟ ଚାଲିଥିବା ବେଳେ ବାରମ୍ବାର ଧାନ ବିକ୍ରୀ ଟଙ୍କା ତାଙ୍କୁ ମାଗିବା ସତ୍ତ୍ବେ ଜମି ମାଲିକ ପଇସା ନ ଫେରାଇଥିବା ଅଭିଯୋଗ ହୋଇଛି ।
ଏହାପରେ ଆଜି ସକାଳେ ଭାଗ ଚାଷୀ ଜଣକ କୀଟନାଶନ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ବୁର୍ଲା ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ରାଜ୍ୟରେ ଭାଗଚାଷୀଙ୍କ ପାଇଁ କୌଣସି ନୀତିଗତ ବ୍ୟବସ୍ଥା ନଥିବାରୁ ଏମିତି ସମସ୍ୟା ବାରମ୍ବାର ହେଉଥିବା ଅଭିଯୋଗ ହୋଇଛି । ହୁଏତ ନିଜ ନାଁରେ ଭାଗ ଚାଷୀ ଧାନ ବିକିବାର ସୁଯୋଗ ପାଇଥାନ୍ତେ ତେବେ ଏହି ଘଟଣା ଘଟିନଥାନ୍ତା ବୋଲି ଚର୍ଚ୍ଚା ହେଉଛି ।
ଇଟିଭି ଭାରତ, ସମ୍ବଲପୁର