ସମ୍ବଲପୁର : ଚଳିତ ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାର ଶେଷ ଦିନ । ଆଜି ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ କରିଛନ୍ତି 3 ପ୍ରମୁଖ ଦଳ। ଆଜି(ସୋମବାର) ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବାବେଳେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପୌର ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ଏଠାରେ 13 ଟି ୱାର୍ଡ ଥିବାବେଳେ ବିଜେଡି ଓ ବିଜେପି ସମସ୍ତ ୱାର୍ଡରେ ପ୍ରାର୍ଥୀ ଦେଇଛନ୍ତି। ତେବେ କଂଗ୍ରେସ କେବଳ ପୌର ଅଧ୍ୟକ୍ଷ ଓ 2ଟି ୱାର୍ଡ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ ଆମ ଆଦମୀ ପାର୍ଟି କେବଳ ଗୋଟିଏ ୱାର୍ଡ ପାଇଁ ପ୍ରାର୍ଥୀ ଦେଇଛି । ଆଜିର ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ସ୍ଥାନୀୟ ବିଧାୟକ ଇଂ ରୋହିତ ପୂଜାରୀ, ବିଜେପି ବିଧାୟକ ନାଉରୀ ନାଏକ ପରି ପ୍ରମୁଖ ନେତା ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସହ ଉପସ୍ଥିତ ରହିଥିଲେ।
ଏହାବି ପଢନ୍ତୁ : ପୌର ଫାଇଟ: ବିନା କୋଭିଡ କଟକଣାରେ ଏଥର ପୌର ନିର୍ବାଚନ
ରେଢ଼ାଖୋଲ NAC ପାଇଁ ବିଜେଡିର ସୁନୀଲ ପ୍ରଧାନ, ବିଜେପି ପାଇଁ ଶିବରାମ ସାହୁ ଓ କଂଗ୍ରେସ ପାଇଁ ସଜଳକାନ୍ତ ପାଲ ପୌର ଅଧ୍ୟକ୍ଷ ପ୍ରାର୍ଥୀ ହୋଇଛନ୍ତି। ରେଢ଼ାଖୋଲ ଏନଏସିରେ ଭୋଟର ସଂଖ୍ୟା 12,381 ହୋଇଥିବା ବେଳେ ପୁରୁଷ 6169 ଓ ମହିଳା ଭୋଟର 6212 ରହିଛନ୍ତି । ଗତଥର ନିର୍ବାଚନରେ ବିଜେଡି ପୌରାଧ୍ୟକ୍ଷ ପଦ ଦାଖଲ କରିଥିଲା ।
ରେଢ଼ାଖୋଲ ପୌର ନିର୍ବାଚନ ଇତିହାସ ବର୍ତ୍ତମାନ ସୁଦ୍ଧା 4 ଥର ନିର୍ବାଚନ ହୋଇଥିବାବେଳେ 3 ଥର ବିଜେଡି ପୌରାଧ୍ୟକ୍ଷ ପଦ ହାତେଇ ଥିବା ବେଳେ ବିଜେପି ଥରେ ବିଜୟୀ ହୋଇଥିଲା । ଏଥର ମଧ୍ୟ ବିଜେପି ଓ ବିଜେଡି ମଧ୍ୟରେ ଦ୍ଵିମୁଖୀ ଲଢେ଼ଇ ହେବ ବୋଲି ଚର୍ଚ୍ଚା ହେଉଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ