ସମ୍ବଲପୁର: ସମସ୍ୟା ଭିତରେ ଦୁଗ୍ଧ ଚାଷୀ । ବିଶେଷ କରି ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରେ ଏହି ସମସ୍ୟା ଦେଖାଯାଇଛି । ଲକଡାଉନ ସମୟରେ ଚାରିଆଡେ ମାନ୍ଦାବସ୍ଥା ଚାଲିଥିବା ବେଳେ ଦୁଗ୍ଧ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଥିଲା । କିନ୍ତୁ ଲକଡାଉନ କୋହଳ ହେବା ପରେ ମଧ୍ୟ ଓମଫେଡ ପ୍ରତ୍ୟେକ ଦିନ ଚାଷୀଙ୍କ ଠାରୁ ଦୁଗ୍ଧ କିଣୁନଥିବା ଅଭିଯୋଗ କରିଛନ୍ତି ଦୁଗ୍ଧ ଚାଷୀ ।
![ଲକଡାଉନ ପରେ ବି ପ୍ରତିଦିନ ଓମଫେଡ କିଣୁନି କ୍ଷୀର, ସମସ୍ୟାରେ ଦୁଗ୍ଧ ଚାଷୀ](https://etvbharatimages.akamaized.net/etvbharat/prod-images/od-sam-02-milk-farmers-problem-avb-7202776_13062020181646_1306f_02347_212.jpg)
ସୂଚନାନୁସାରେ, ଲକଡାଉନ ସମୟରେ ବିନା ସରକାରୀ ଚିଠିରେ ଓମଫେଡ 2 ଦିନ ବ୍ୟବଧାନରେ ଚାଷୀଙ୍କ ଠାରୁ କ୍ଷୀର କିଣୁଥିଲା । ପରବର୍ତ୍ତୀ ସମୟରେ ଗୋଟିଏ ଦିନରେ ବ୍ୟବଧାନରେ କ୍ଷୀର କିଣିବାକୁ ଆରମ୍ଭ କରିଥିଲା । ଯାହାଫଳରେ ଚାଷୀମାନଙ୍କୁ ବ୍ୟାପକ ପରିମାଣରେ କ୍ଷତି ସହିବାକୁ ପଡିଲା । ତେବେ ବର୍ତ୍ତମାନ ଲକଡାଉନ କୋହଳ ହେଲା ପରେ ମଧ୍ୟ ଓମଫେଡ ଗୋଟିଏ ଦିନ ଲେଖାଏଁ ବ୍ୟବଧାନରେ କ୍ଷୀର କିଣିବା ଜାରି ରଖିଛି । ଏଭଳି ପରିସ୍ଥିତିରେ ଚାଷୀଙ୍କୁ ହଜାର ହଜାର ଟଙ୍କାର କ୍ଷତି ସହିବାକୁ ପଡୁଛି ।
ସେପଟେ ଏହି ସମସ୍ୟାକୁ ନେଇ ଦୁଗ୍ଧ ଚାଷୀ ସଂଘର ସଭାପତି ସରକାରଙ୍କ ନିକଟରେ ମୁହଁ ଫିଟାଉନାହାନ୍ତି । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି କୁଚିଣ୍ଡା ଅଞ୍ଚଳର ଦୁଗ୍ଧ ଚାଷୀ । ଏଥିସହ ଚାଷୀ ପ୍ରଶ୍ନ କରିଛନ୍ତି ଯେ, କେନ୍ଦ୍ର ସରକାର କୃଷି ଉତ୍ପାଦିତ ସାମଗ୍ରୀ କିଣିବାରେ କୌଣସି ଅସୁବିଧା ହେବନି ବୋଲି କହୁଥିବା ବେଲେ ଦୁଗ୍ଧ ଚାଷୀମାନେ କାହିଁକି ଏମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତ୍ୟେକ ବର୍ଗର ଲୋକଙ୍କୁ ସରକାର ସହାୟତା ଦେଉଥିବା ବେଳେ ଦୁଗ୍ଧଚାଷୀଙ୍କ ସହ କାହିଁକି ପାତରଅନ୍ତର କରାଯାଉଛି । ତେଣୁ ଅନ୍ୟମାନଙ୍କ ଭଳି ଦୁଗ୍ଧ ଚାଷୀଙ୍କୁ ମଧ୍ୟ ସହାୟତା ଦେବାର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି ଚାଷୀ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ