ସମ୍ବଲପୁର: ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳରେ ଘଟିଥିବା ଏକ ଯୁବକ ନିଖୋଜ ଘଟଣାକୁ ନେଇ ଚର୍ଚ୍ଚା । ଯୁବକ ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବା ଅବସ୍ଥାରେ ଘରୁ ଏକ ବର୍ଷ ତଳେ ପଳାଇ ଯାଇଥିବା ବେଳେ ଅସହାୟ ମାଆ ପୁଅକୁ ଖୋଜିବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ପୁଅର ଖବର ପାଇ ମଧ୍ୟ ମାଆ ପୁଅକୁ ଘରକୁ ଆଣିବାକୁ ଅସମର୍ଥ ।
ସୂଚନା ଅନୁସାରେ, ମହୁଲପାଲି ଥାନା ଅନ୍ତର୍ଗତ ଘୁନଘୁଟି ଗାଁର ଜୀବନ ସମଦ ଓ ପ୍ରେମୀ ସମଦଙ୍କ ପୁଅ ନିରଞ୍ଜନ ସମଦ ପ୍ରାୟ ଏକ ବର୍ଷ ପୂର୍ବେ ଆଂଶିକ ମାନସିକ ବିକାରଗ୍ରସ୍ତ ଅବସ୍ଥାରେ ଘର ଛାଡ଼ି ପଳାଇ ଯାଇଥିଲେ । ଏହାପରେ ଘର ଲୋକ ଖୋଜା ଖୋଜି କରିଥିଲେ ମଧ୍ୟ କିଛି ସୁରାକ ପାଇନଥିଲେ। ତେବେ ଗତ ଫେବୃଆରୀ ମାସରେ ନିଖୋଜ ନିରଞ୍ଜନଙ୍କୁ ଜମ୍ମୁ କାଶ୍ମୀରରେ ପୋଲିସ ଏକ ଚୋରି ଅଭିଯୋଗ ରେ ଅଟକ ରଖି ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସମ୍ବଲପୁର ମହୁଲପାଲି ପୋଲିସକୁ ଯୋଗାଯୋଗ କରିଥିଲା ।
ଏହି ସମୟରେ ସେ ମାନସିକ ବିକୃତ ବୋଲି ମହୁଲପାଲି ପୋଲିସ ସ୍ପଷ୍ଟୀକରଣ ଦେବାରୁ ତାଙ୍କୁ ମୁକ୍ତ କରାଯାଇଥିଲା । ଏହି ସମୟରେ ମହୁଲପାଲି ପୋଲିସ ତାଙ୍କ ପରିବାର ଲୋକଙ୍କୁ ଏହି ବିଷୟରେ ଜଣାଇ ତାକୁ ଆଣିବାକୁ କହିଥିଲେ ମଧ୍ୟ ପରିବାର ଲୋକେ ଗରିବୀ ଓ ଅସହାୟ ଯୋଗୁଁ କିଛି ପଦକ୍ଷେପ ନେଇପାରିନଥିଲେ ।
ଏହାପରେ ଗତ ଜୁଲାଇ 30 ତାରିଖରେ ସମାନ ଢଙ୍ଗରେ ପଶ୍ଚିମବଙ୍ଗ କୋଲକାତାର ହରିଦାସପୁର ପୋଲିସ ମହୁଲପାଲି ପୋଲିସ ସହ ଯୋଗାଯୋଗ କରି ତଥ୍ୟ ମାଗିଥିଲେ । ଠିକ ସେହିଭଳି ପୋଲିସ ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ଥିବା କହିବାରୁ ତାକୁ ଘରକୁ ନେଇଯିବା ପାଇଁ ମହୁଲପାଲି ପୋଲିସ ଘର ଲୋକଙ୍କୁ କହିଥିଲେ । ପରିବାର ଲୋକେ ନିଜ ପୁଅର ଠିକଣା ପାଇ ମଧ୍ୟ ଆଣିବାକୁ ଅସମର୍ଥ ହୋଇଛନ୍ତି।
ଏଭଳି ପରିସ୍ଥିରେ ଆଜି ପରିବାର ଲୋକେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ପୁଅକୁ ଫେରାଇ ଆଣିବାକୁ ସାହାଯ୍ୟ ଲୋଡିଛନ୍ତି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ